ବ୍ରହ୍ମପୁର: ଇଟିଭି ଭାରତର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ'ର ଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁ । ବିଜୟ ବିଜୟୀ ଟୀକା ପିନ୍ଧିଲେ କଣ ସବୁ କରିବେ ଓ ବିଜୟ ବୀଜ ବୁଣିବା ସହ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ ସେ ନେଇ ଇଟିଭି ଭାରତର କାର୍ଯ୍ୟକ୍ରମରେ ସାମିଲ ହୋଇ ମତ ରଖିଛନ୍ତି ।
ସାନଖେମୁଣ୍ଡି ଆସନରେ ବିଜୟ କୁମାର ସ୍ବାଇଁ ବିଧାୟକ ଭାବରେ ବିଜୟୀ ହେଲେ ନିର୍ବାଚନୀ ମଣ୍ଡଳୀରେ ବିକାଶ ପାଇଁ କାମ କରିବେ । ବେକାରୀ ଠାରୁ ଆରମ୍ଭ କରି କୃଷକଙ୍କ ପାଇଁ କାମ କରିବା କଥା ସେ କହିଛନ୍ତି । ବିଲ ଠାରୁ ବିଦ୍ୟାଳୟ ସବୁର ବିକାଶ ହେବ ବୋଲି ସେ କହିଛନ୍ତି । ସାନଖେମୁଣ୍ଡିର ସର୍ବାଙ୍ଗୀନ ଉନ୍ନତି, ଲୋକଙ୍କ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ପଣ କରିବା କଥା ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚାଇଛନ୍ତି ।
ଏଠାରେ ଉଲ୍ଲେଖ ଥାଉକି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ଚଳିତଥର ବିଜେପିରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ବିଜୟ କୁମାର ସ୍ବାଇଁ । ଗୋଟିଏପଟେ ବିଜେଡି ଦଳରୁ ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ ଏବଂ ଅନ୍ୟପଟେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରାର୍ଥୀ ହୋଇଥିବା ବେଳେ ଏଠାରେ ବି.ଏସ୍.ପି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ