ବରଗଡ: ବହୁ ପ୍ରତିକ୍ଷିତ ବିଜେପୁର ଉପ-ନିର୍ବାଚନର ବିଜେଡି ଆସନ ବଜାୟ ରଖିଛି । ଦଳୀୟ ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥିନୀ ରୀତା ସାହୁ 1,35,957 ଭୋଟ ପାଇଛନ୍ତି । ଏହାସହ ରୀତା 97990 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଭୋଟ ବହୁମାତ୍ରାରେ କମିଛି । ଗତଥର 53 ହଜାରରୁ ଅଧିକ ଭୋଟ ପାଇଥିବା ସନତ ଏହି ଉପ-ନିର୍ବାଚନରେ 37967 ଖଣ୍ଡ ଭୋଟ ପାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା 5873 ଖଣ୍ଡ ଭୋଟ ପାଇଥିବା ବେଳେ , ନୋଟାକୁ ମିଳିଛି 1982 ଭୋଟ ।
ବିଜେପୁର ଉପ-ନିର୍ବାଚନରେ 24ଟି ସର୍ଭିସ ଭୋଟ ପଡିଥିବା ବେଳେ ସେଥିରୁ ବିଜେଡିକୁ 7ଟି ବିଜେପିକୁ 7ଟି ଓ କଂଗ୍ରେସକୁ 2ଟି ଭୋଟ ମିଳିଛି, ଅନ୍ୟ 8ଟି ଭୋଟ ନାକଚ ହୋଇଛି । ଅନ୍ୟପକ୍ଷରେ ପୋଷ୍ଟାଲ ବାଲାଟ ମାଧ୍ୟମରେ 6 ଟି ଭୋଟ ପଡିଥିବା ବେଳେ ସେଥିରୁ 5ଟି ଭୋଟ ବିଜେପି ଓ ଗୋଟିଏ ଭୋଟ ବିଜେଡିକୁ ମିଳିଛି ।
ଭୁବନେଶ୍ବରରୁ ଅଜିତ ଦାଶ ଓ ବରଗଡରୁ ରାଜେସ ସରାପ, ଇଟିଭି ଭାରତ