ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର 9ଟି ନିର୍ବାଚନ ମଣ୍ଡଳୀରୁ 8ଟି ନିର୍ବାଚନ ମଣ୍ଡଳୀରେ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲାରେ ମୋଟ ୧୩ ହଜାର ୯୬୨ଜଣ ପୋଲିଂ ଅଧିକାରୀଙ୍କ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ କରଞ୍ଜିଆ ବିଧାନସଭା ଆସନକୁ ଛାଡ଼ି ମୟୂରଭଞ୍ଜ ଜିଲ୍ଲାର ଅବଶିଷ୍ଟ ୮ଟି ନିର୍ବାଚନ ମଣ୍ଡଳୀରେ ୫୬୭ ଜଣ ମହିଳା ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ପରିଚାଳନା ଭଳି ସମ୍ବେଦନଶୀଳ ପ୍ରକ୍ରିୟାରେ ଏତେ ସଂଖ୍ୟକ ମହିଳା ଅଧିକାରୀଙ୍କ ନିୟୋଜନ ମହିଳା ସଶକ୍ତିକରଣର ଉଦାହରଣ ବୋଲି ମତପ୍ରକାଶ ପାଇଛି।
ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ଅଧୀନରେ ଆସୁଥିବା ମୋଟ ୨୧୨୩ ମତଦାନ କେନ୍ଦ୍ରରେ ଉପରୋକ୍ତ ମହିଳା ଅଧିକାରୀମାନେ ନିୟୋଜିତ ହେବେ । ତେବେ ଉକ୍ତ ବୁଥଗୁଡ଼ିକ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ଓ ୪୮ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହାଛଡା ଜିଲ୍ଲାର ବୁଥଗୁଡ଼ିକରେ ୫ରୁ ୬ ହଜାର ଇଭିଏମ୍ ଓ ଭିଭିପାଟ୍ ମେସିନ୍ର ଉପଯୋଗ ହେବ । ସେହିପରି 500 ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବାର ନିଷ୍ପତ୍ତି ହୋଇଛି ।
ତେବେ ଜିଲ୍ଲାରେ ମୋଟ ୧୮ଲକ୍ଷ ୩୨ ହଜାର ୨୩ ଜଣ ଭୋଟର ମତଦାନ କରିବେ । କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୧ଲକ୍ଷ ୮୩ହଜାର ୯୬ ଜଣ ଭୋଟରଙ୍କୁ ଛାଡ଼ି ଅବଶିଷ୍ଟ ୮ଟି ନିର୍ବାଚନମଣ୍ଡଳୀର ଭୋଟର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ।
ସେହିପରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସର୍ବାଧିକ ୨ଲକ୍ଷ ୨୮ହଜାର ୫ଶହ ୨୨ଜଣ ଭୋଟର ରହିଛନ୍ତି । ଚଳିତ ଥର ଯୁବ ଭୋଟରଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଛି । ୨୦-୨୯ ବୟସ ବର୍ଗରେ ସର୍ବାଧିକ ଭୋଟର ଥିବା ସୂଚନା ମିଳିଛି । ଏହି ବୟସ ବର୍ଗରେ ମୋଟ ୪ଲକ୍ଷ ୫୫ହଜାର ୫ଶହ ୬ ଜଣ ଭୋଟର ରହିଛନ୍ତି । ମୋଟ ଭୋଟର ସଂଖ୍ୟାର ଏମାନେ ହେଉଛନ୍ତି ୧୬.୯୨ ପ୍ରତିଶତ।
ସେହିପରି ୩୦-୩୯ ବୟସ ବର୍ଗ ମଧ୍ୟରେ ୪ଲକ୍ଷ ୪୩ହଜାର ୯ଶହ ୮୦ ଜଣ ଭୋଟର ରହିଛନ୍ତି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସର୍ବାଧିକ ମହିଳା ଓ ପୁରୁଷ ମତଦାତା ରହିଛନ୍ତି । ଚଳିତ ଥର ଜିଲ୍ଲାରୁ ଅନ୍ୟାନ୍ୟ ବର୍ଗରୁ ମୋଟ ୫୪ ଜଣ ଭୋଟର ମତଦାନ ନିମନ୍ତେ ଯୋଡ଼ି ହୋଇଛନ୍ତି । ର।ଇରଙ୍ଗପୁରର ସର୍ବାଧିକ ୨୯୫ଟି ବୁଥ ରହିଥିବା ବେଳେ ଯଶୀପୁରରେ ୨୯୨, ସାରସକଣାରେ ୨୬୨, ବାଙ୍ଗିରିପୋଷିରେ ୨୫୭, ଉଦଳାରେ ୨୪୨, ବଡ଼ସାହିରେ ୨୩୯, ବାରିପଦାରେ ୨୫୪ ଏବଂ ମୋରଡ଼ାରେ ୨୮୨ଟି ବୁଥ ରହିଛି। ଜିଲ୍ଲାରେ ଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଗୁଡିକରେ ପୋଲିସ ସହ ପରାମିଲିଟାରୀ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ