ବାଲେଶ୍ବର: କୋଲକାତାରେ ପଣବନ୍ଦୀ ଥିବା କେଶପୁର ଗ୍ରାମର ତାପସ ମହାନ୍ତିଙ୍କୁ ଉଦ୍ଧାର କରି ସୋର ଆଣିଲା ପୋଲିସ । ରୋଜଗାର ଆଶା ଦେଖାଇ ତାଙ୍କୁ କୋଲକାତା ଡକାଇ ସେଠାରେ ପଣବନ୍ଦୀ କରିବା ସହ ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ ।
ବନ୍ଧୁକ ମୁନରେ ଧମକ ଦେଇ ପରିବାରକୁ ଟଙ୍କା ମାଗିବା ଘଟଣାରେ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ସୋର ପୋଲିସ କୋଲକାତାର ଚବିଶପ୍ରଗଣା ଅଞ୍ଚଳରୁ ଅପହରଣକାରୀଙ୍କ କବଳରୁ ତାପସଙ୍କୁ ଉଦ୍ଧାର କରି ସୋର ଥାନାରେ ପହଞ୍ଚିଛି ।
ତାପସ ଉଦ୍ଧାର ହୋଇଥିବା ବେଳେ କୌଣସି ଅପହରଣକାରୀ ଗିରଫ ହୋଇ ନଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, ଏକ ଅଜଣା ନମ୍ବରରୁ ତାପସଙ୍କୁ ଫୋନ କରିଥିଲେ ଅପହରଣକାରୀ । ରୋଜଗାର ଦେବା ନାଁରେ ତାଙ୍କୁ କୋଲକାତା ଡାକିଥିଲେ ।
ସେଠାରେ ତାପସ ପହଞ୍ଚିବା ପରେ ଅପହରଣକାରୀମାନେ ତାପସଙ୍କୁ ପଣବନ୍ଦୀ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ରଖି ଏକ ଭିଡିଓ ଜରିଆରେ ଟଙ୍କା ଡିମାଣ୍ଡ କରିଥିଲେ । ପରିବାର ଲୋକେ ବିଚଳିତ ହୋଇ ଅପହରଣକାରୀ ଦେଇଥିବା ଆକାଉଣ୍ଟ ନମ୍ବରରେ 50,000 ଟଙ୍କା ଡିପୋଜିଟ କରିଥିଲେ । ଏନେଇ ସୋର ଥାନାରେ ଅଭିଯୋଗ ପରେ ସୋର ପୋଲିସର ଏକ ପାଞ୍ଚ ଜଣିଆ ଟିମ କଲିକତାରେ ପହଞ୍ଚିଥିଲେ ।
ମୋବାଇଲ ଟ୍ରାକିଂ କରି କୋଲକାତାର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର କୁଳଟାରି ଥାନା ସୁନ୍ଦରବନ ନ୍ୟାସନାଲ ପାର୍କ ନିକଟରେ ଥିବା ବିଲ ଭିତରେ ଏକ ପରିତ୍ୟକ୍ତ ଘରେ କୁଲଟାରୀ ଥାନାଧିକାରୀ ଏବଂ ଗ୍ରାମ ମୁଖିଆଙ୍କୁ ନେଇ ସେଠାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ହାତଗୋଡ ବନ୍ଧା ହୋଇଥିବା ତାପସକୁ ଉଦ୍ଧାର କରିଥିଲେ । ତେବେ ସେତେବେଳେ ଅପହରଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ତାପସଙ୍କୁ ଧରି ରାତି ଦୁଇଟା ବେଳେ ସୋର ପୋଲିସର ପାଞ୍ଚଜଣିଆ ଟିମ ସୋର ଥାନାରେ ପହଞ୍ଚିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ