ଢେଙ୍କାନାଳ: ରଙ୍ଗର ପର୍ବରେ ରକ୍ତର ହୋଲି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବନ୍ଧ ଆକ୍ରମଣ ପରେ ଗୋଡେଇ ଗୋଡେଇ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ମୋଟଙ୍ଗା ଗାଁରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ବିକାଶ ନାୟକ ।
ସୂଚନା ଅନୁୟାୟୀ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମୋଟଙ୍ଗା ଗାଁର କିଛି ଯୁବକ ପୂର୍ବ ଶତ୍ରୁତାକୁ ନେଇ ବିକାଶ ନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏନେଇ ଖବର ପାଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡରେ ଅନ୍ୟୁନ ୧୦ଜଣ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ବିକାଶ ନାୟକ ମୋଟଙ୍ଗା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଦୃଢ଼ ସମର୍ଥକ ଓ ବନ୍ଦ ହୋଇ ପଡ଼ିଥିବା ସ୍ଥାନୀୟ ରୁଙ୍ଗଟା କାରଖାନା ଶ୍ରମିକ ସଂଘର ସଭାପତି ଥିଲେ । ଏହି ହତ୍ୟାକାଣ୍ଡ ଘଟମାପରେ ମୋଟଙ୍ଗା ଗ୍ରାମରେ ୧୪୪ ଧାରା ଜାରି ରହିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ