ସମ୍ବଲପୁର:ଆସନ୍ତାକାଲି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଛି ଏହି ପର୍ବ । ତେବେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ କୋଭିଡ କଟକଣା ଭିତରେ ନିର୍ଦ୍ଧାରିତ ଶୁଭ ବେଳାରେ ନୂଆଁ ଚାଉଳର ଭୋଗ ଲାଗିବ ।
ଆଉ ଏହା ପରେ ଘରେ ଘରେ ପାଳିତ ହେବ ନୂଆଖାଇ । ହେଲେ ଏଥର ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ମାଆ ପାଖେ ନବାନ୍ନ ଲାଗି ହେବ। କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରିତିନୀତି ଅନୁସାରେ ସମଲେଶ୍ୱରୀଙ୍କ ପାଖେ ନବାନ୍ନ ଭୋଗ ଲଗାଇବେ। କୋଭିଡ କଟକଣା ଯୋଗୁଁ ଏଥର ମା ସମଲେଶ୍ୱରୀଙ୍କ ପ୍ରତ୍ୟେକ୍ଷ ଦର୍ଶନ ନ ହେଲେ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଫେସବୁକରେ ମାଆଙ୍କ ନବାନ୍ନ ଲାଗିର ଦର୍ଶନ କରି ପାରିବେ । ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଫେସବୁକ ପେଜରେ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରି ପାରିବେ।
ଆସନ୍ତାକାଲି ସକାଳ 9ଟା 35 ମିନିଟରୁ 9ଟା 50 ମିନିଟ ମଧ୍ୟରେ ମାଆଙ୍କ ପାଖେ ନୂଆଁ ଚାଉଲର ଭୋଗ ଅର୍ପଣ କରାଯିବ । ଏନେଇ ସମଲେଶ୍ୱରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଛନ୍ତି । ଆଜି ପୂଜକଙ୍କ ଘରକୁ ମାଆଙ୍କ ବସ୍ତ୍ର ପହଞ୍ଚି ଯାଇଛି । ଆଜି ସନ୍ଧ୍ୟାରେ ମାଁ ଅଳଙ୍କାର ସଫା କରାଯିବ ଓ ମନ୍ଦିରର ପାର୍ଶ୍ୱ ଦେବା ଦେବୀଙ୍କ ଠାରେ ସିନ୍ଦୁର ଲେପନ କରାଯିବ। ତେବେ ବର୍ଷ ତମାମ ସବୁ ଦିନ ସକାଳୁ ମଙ୍ଗଳ ଆଳତି ହେଉଥିବା ବେଳେ ନୂଆଖାଇ ଦିନ ଏହା ସକାଳୁ ନ ହୋଇ ନାବାନ୍ନ ଅର୍ପଣର ନିର୍ଦ୍ଧାରିତ ଶୁଭଲଗ୍ନରେ ହୋଇଥାଏ।
ପାରମ୍ପରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନକୁ ବହନ କରୁଥିବା ଏହି ପର୍ବ ଏଥର ଫିକା ପଡିବ ସତ । ତେବେ ପରମ୍ପରା ବଜାୟ ରହିବ। ଘର ଭିତରେ ସପରିବାର ଲୋକେ ନୂଆଖାଇ ପାଳନ କରିବେ କିନ୍ତୁ ସାମୁହିକ ନୂଆଖାଇ ଭେଟ ଘାଟ ହୋଇ ପାରିବ ନାହିଁ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ