ସମ୍ବଲପୁର: ସଫ୍ଟୱୋୟାର ଇଞ୍ଜିନିୟରରୁ ମାଛ ଚାଷୀ । ବାଙ୍ଗାଲୋରର ସଫ୍ଟୱେୟାର କମ୍ପାନୀ ଚାକିରି ଛାଡି ସମ୍ବଲପୁରରେ ମାଛ ଚାଷ କରିଛନ୍ତି ସୌରଭ ସାମନ୍ତରାୟ । ଆଜିର ଯୁବପୀଢି ଚାକିରି ପଛରେ ଦୌଡୁଥିବାବେଳେ ସେ ଅତ୍ୟାଧୁନିକ ବାୟୋଫ୍ଲକ୍ ଟେକ୍ନୋଲୋଜିରେ ମାଛ ଚାଷ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।
ବାଙ୍ଗାଲୋରରେ 7 ବର୍ଷ ଚାକିରୀ କରିବା ପରେ ସୌରଭ ସମ୍ବଲପୁର ଫେରି ଅତ୍ୟାଧୁନିକ ବାୟୋଫ୍ଲକ ଟେକ୍ନୋଲୋଜିରେ ମାଛ ଚାଷ କରିଛନ୍ତି । ବୁର୍ଲା ଅଠର ହଜାର ଅଞ୍ଚଳରେ ଥିବା ନିଜ ଜମିରେ ପାଖାପାଖି 4 ଲକ୍ଷ ଟଙ୍କାରେ 6 ଟି ଟାଙ୍କି କରି ସେ ଏହି ମାଛ ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଇଣ୍ଡୋନେସିଆ ଯାଇ 5 ଦିନିଆ ଟ୍ରେନିଂ ନେଇଥିବା ଜଣାପଡିଛି ।
ବାଙ୍ଗାଲୋରରେ ଚାକିରି କରୁଥିବା ସମୟରେ ସେ ଆନ୍ଧ୍ରପ୍ରଦେଶର ନିଜ ସାଙ୍ଗ ଘରକୁ ବୁଲିବାକୁ ଯାଇଥିବାବେଳେ ସେଠାରେ ହେଉଥିବା ମାଛ ଚାଷ ଦେଖି ନିଜେ ଚାଷ କରିବେ ବୋଲି ଭାବିନେଇଥିଲେ । ପରେ ସେ ଗାଁକୁ ଫେରି ପୋଖରୀରେ ମାଛ ଚାଷ କରୁଥିଲେ । ହେଲେ ପୋଖରୀରେ ଏକକାଳୀନ ବିଭିନ୍ନ ପ୍ରକାର ମାଛ ଚାଷ କରି ନ ହେବାରୁ ସେ ଏହି ବାୟୋଫ୍ଲକ ପଦ୍ଧତି ଆଡକୁ ମୁହାଁଇଥିଲେ ।
ଏନେଇ ଇଣ୍ଡୋନେସିଆରୁ ସେ ଟ୍ରେନିଂ ନେଇଥିଲେ । ଇଣ୍ଡୋନେସିଆରୁ ଫେରି ସେ ଏହି ଚାଷ ପାଇଁ ଏକ ବୋରୱେଲ ନିର୍ମାଣ କରିବା ସହ ଟାଙ୍କି ତିଆରି କରିଥିଲେ । ତେବେ ଏହି ପଦ୍ଧତିରେ ମାଛ ଚାଷ କରିବାକୁ ହେଲେ ଟାଙ୍କିରେ ଏକ ଉପକାରୀ ବ୍ୟାକ୍ଟେରିଆ ଛଡାଯାଏ ଯାହା ମାଛର ମଳକୁ ମାଛର ଖାଦ୍ୟରେ ରୂପାନ୍ତରିତ କରିଥାଏ ଫଳରେ କମ ଖର୍ଚ୍ଚରେ ଏହା ହୋଇଥାଏ । ଏହା ସହ ମାଛ ଟାଙ୍କିର ପାଣିକୁ 15 ଦିନରେ ଥରେ ପରିବର୍ତ୍ତନ କରିବାକୁ ପଡିଥାଏ । ଏମିତି 6 ମାସ ମଧ୍ୟରେ ମାଛ ବଡ ହୋଇଥାଏ ବୋଲି ସେ କହିଛନ୍ତି ।
ସେ ଏହି ମାଛ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ 4 ଜଣଙ୍କୁ ରୋଜଗାରକ୍ଷମ କରିଛନ୍ତି । ସେପଟେ ଏହି ଚାଷ ବାବଦରେ ଜାଣିବା ଲାଗି ଅନେକ ଯୁବକ ତାଙ୍କ ପାଖକୁ ଆସୁଛନ୍ତି । ତେବେ ଆଗକୁ ସେ ଏହି ଚାଷକୁ ବ୍ୟାପକ କରିବା ସହ ବିଦେଶକୁ ରପ୍ତାନୀ କରିବାର ଯୋଜନାରେ ଥିବା ଜଣାପଡିଛି ।
ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ