ସମ୍ବଲପୁର: ବିଶ୍ବବିଦ୍ୟାଳୟ ଏକ ୱେବସାଇଟ ହ୍ୟାକ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ମାତ୍ର 15 ମିନିଟ ପାଇଁ ଏହି ସାଇଟ ହ୍ୟାକ ହୋଇଥିବା ଜଣାପଡିଛି।ମାତ୍ର ଏନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଖଣ୍ଡନ କରିଥିବାବେଳେ ସମ୍ବଲପୁର ଏସପି ଏନେଇ ପୋଲିସ ପାଖରେ କୌଣସି ରିପୋର୍ଟ ହୋଇ ନାହିଁ ବୋଲି କହିଛନ୍ତି।
ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ବହୁସଂଖ୍ୟକ ମହାବିଦ୍ୟାଳୟ ରହିଛି । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ଛାତ୍ରଛାତ୍ରୀଙ୍କ ନାମଲେଖା ମଧ୍ୟ ଚାଲିଛି। ଏପରି ଏକ ମୁହୂର୍ତ୍ତରେ ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ପାକିସ୍ତାନି ହ୍ୟାକର ହ୍ୟାକ୍ କରିଥିବା ଚର୍ଚ୍ଚା ହେଉଛି। ତେଣୁ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସମ୍ବଲପୁର ବିଶ୍ବବିଦ୍ୟାଳୟର ଗ୍ରୀଭାନ୍ସ ୱେବ ସାଇଟ୍ ଉପରେ ‘ହେକଡ୍ ବାଇ ଡ଼େଭିଲ୍ କିଲର୍’ ଏବଂ ଶେଷରେ ‘ଏଣ୍ଡ ଅଲ ପାକିସ୍ତାନୀ ହ୍ୟାକର୍ସ’ ବୋଲି ଲେଖାଥିବା ଏକ ଭାଇରାଲ ଫଟୋ ଦେଖିବାକୁ ମିଳିଛି ।
ଏହି ୱେବସାଇଟ୍ ରେ ବିଶ୍ବବିଦ୍ୟାଳୟର ନୋଟିସ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କ ବିଭିନ୍ନ ତଥ୍ୟ, ବାର୍ଷିକ ରିପୋର୍ଟ ଅପଲୋଡ଼ କରାଯାଏ । ବିଶ୍ବବିଦ୍ୟାଳୟର ସାଇଟ୍ ପରିଚାଳନା ବ୍ୟବସ୍ଥା ହାଇଦ୍ରାବାଦର କୌଣସି ସଂସ୍ଥାକୁ କିଛିବର୍ଷ ପୂର୍ବେ ଦିଆଯାଇଥିଲା । କିନ୍ତୁ ପରିଚାଳନା ତ୍ରୁଟି ଯୋଗୁଁ ଏଭଳି ହ୍ୟାକ ହୋଇଥିବା ଏଠାରେ ଚର୍ଚ୍ଚା ହେଉଛି । ତେବେ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି କିଛି ହୋଇ ନଥିବା କହିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ