ସମ୍ବଲପୁର: ଆସନ୍ତାକାଲି ବାହାରିବ ପଶିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ। ଜିଲ୍ଲାର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଆୟୋଜିତ ହେଉଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହେବ । ଆସନ୍ତାକାଲି ଅପରାହ୍ନ 4 ଟା ସମୟରେ ପଣ୍ଡିତ ମହାସଭା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ଅର୍ଥାତ୍ ନନ୍ଦୋତ୍ସଵ ଦିନ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ ହୋଇଥାଏ । ପଣ୍ଡିତ ମହାସଭାର ସଦସ୍ୟମାନେ କେଉଁ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ ସେହି ସମୟକୁ ନିର୍ଘଣ୍ଟ କରିଥାନ୍ତି ।
ଆଉ ଏହି ନିର୍ଦ୍ଧାରିତ ସମୟରେ ସମ୍ବଲପୁର ତଥା କେତେକ ଜିଲ୍ଲାବାସୀ ମାଆ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କଲା ପରେ ଘରେ ଘରେ ନୂଆଁଖାଇ ପାଳନ ହୋଇଥାଏ। ପଶ୍ଚିମ ଓଡିଶାର ପରମ୍ପରା ଅନୁସାରେ ନୂଆଁ ଫସଲ ଅନ୍ନକୁ ପ୍ରଥମେ ମାଆ ସମଲେଲେଶ୍ବରୀ ବା ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରନ୍ତି । ପରେ ସେହି ଅନ୍ନକୁ ପ୍ରସାଦ ଭାବେ ସପରିବାର ଭକ୍ଷଣ କରନ୍ତି । ଏହା ପରେ ହୋଇଥାଏ ଜୁହାର ଭେଟ କାର୍ଯ୍ୟକ୍ରମ । ଏହାକୁ ହିଁ ସଂକ୍ଷେପରେ ନୂଆଁଖାଇ କୁହାଯାଏ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ