ସମ୍ବଲପୁର: ଜିଲ୍ଲାରେ ସ୍ମାର୍ଟ ପାଣି ମିଟର ଲଗାଇବା ବ୍ୟବସ୍ଥାକୁ ହୋଇଛି ବିରୋଧ । ଗତ କିଛି ଦିନ ତଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସ୍ମାର୍ଟ ପାଣି ମିଟର ପ୍ରଚଳନର ଶୁଭାରମ୍ଭ କରାଯାଇଥିବାବେଳେ, ଏହାକୁ ନେଇ ସମ୍ବଲପୁରରେ ବିରୋଧ ଦେଖିବାକୁ ମିଳିଛି । ସବୁ କ୍ଷେତ୍ରରେ ରାଜ୍ୟ ସରକାର ସମ୍ବଲପୁରକୁ ପ୍ରୟୋଗଶାଳା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଅଭିଯୋଗ କରିଛି । ପୂର୍ବରୁ ସମ୍ବଲପୁରରେ ସ୍ମାର୍ଟ ଇଲେକଟ୍ରିକ ମିଟର ପ୍ରଥମ କରି ପ୍ରୟୋଗ କରାଯାଇଥିଲା ।
ଏବେ ସ୍ମାର୍ଟ ପାଣି ମିଟର ମଧ୍ୟ ପ୍ରଥମ କରି ସମ୍ବଲପୁରରେ ପ୍ରଚଳନ କରାଯାଉଛି । ଏଭଳି ସ୍ଥିତିରେ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ଜନସ୍ଵାସ୍ଥ୍ୟ ବିଭାଗ ଘେରାଉ କରାଯିବା ସହ ଏହାର ପ୍ରତିବାଦ କରାଯାଇଛି । ଅନ୍ୟ ପଟେ ଏହି ସ୍ମାର୍ଟ ପାଣି ମିଟରକୁ ବିରୋଧ କରି ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ପ୍ରଦାନ କରାଯାଇଛି ।
ଏହା ବି ପଢନ୍ତୁ- ନକଲି ସାର୍ଟିଫିକେଟରେ ଅସଲି ଚାକିରି, ଅଭିଯୋଗ ଆଣିଲେ ସମାଜସେବୀ
ସମସ୍ତ ବିକାଶମୂଳକ କାର୍ଯ୍ୟ ରାଜଧାନୀ ଭୁବନେଶ୍ବର ସହ ପୂର୍ବ ଓଡ଼ିଶାରେ ହେଉଥିବାବେଳେ, ଅର୍ଥ ଆଦାୟ ପାଇଁ ପ୍ରଥମେ ସମ୍ବଲପୁରକୁ କାହିଁକି ପ୍ରୟୋଗଶାଳା କରାଯାଉଛି ବୋଲି ପ୍ରଶ୍ନ କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ସମ୍ବଲପୁର ବିଜେପି । ଆଜି ପାଣି ମିଟର ବ୍ୟବସ୍ଥାକୁ ବିରୋଧ କରି ଜନସ୍ବାସ୍ଥ୍ୟ ମଣ୍ଡଳ କାର୍ଯ୍ୟାଳୟ ଘେରାଉ କରିଛି ପଶ୍ଚିମାଞ୍ଚଲ ଏକତା ମଞ୍ଚ । କିଛି ଦିନ ହେବ ପ୍ରଥମ କରି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କର କାର୍ଯ୍ୟାଳୟରେ ଏହି ସ୍ମାର୍ଟ ପାଣି ମିଟର ଲଗାଯାଇଛି ।
![ସମ୍ବଲପୁରରେ ସ୍ମାର୍ଟ ପାଣି ମିଟର ବ୍ୟବସ୍ଥାକୁ ବିରୋଧ](https://etvbharatimages.akamaized.net/etvbharat/prod-images/od-sam-01-oppose-to-smart-water-meter-avb-7202776_09092022184219_0909f_1662729139_670.png)
ପରବର୍ତ୍ତୀ ସମୟରେ ସମ୍ବଲପୁର ସହରରେ ଥିବା ୭୬ ହଜାର ଗ୍ରାହକଙ୍କ ଘରେ ଏହି ପାଣି ମିଟର ଲାଗିବ ବୋଲି କୁହାଯାଇଛି । ଏହାକୁ ବିରୋଧ କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ । ରାଜ୍ୟର ସମ୍ବଲପୁରରେ ପ୍ରଥମ କରି ଇଲେକଟ୍ରିସିଟି ପାଇଁ ପ୍ରିପେଡ଼ ମିଟର ବ୍ୟବସ୍ଥା କରାଗଲା । ଏବେ ପୁଣି ପାଣି ମିଟର ପ୍ରଥମ କରି ଲଗାଯାଉଛି । କାହିଁକି ଭୁବନେଶ୍ବର ଓ କଟକରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଉ ନାହିଁ ବୋଲି କହିଛି ମଞ୍ଚ । ନଚେତ୍ ୩୦ ଜିଲ୍ଲାରେ ଏକା ସାଙ୍ଗରେ ପାଣି ମିଟର ଲଗାଯାଉ ବୋଲି ଦାବି କରିଛି ମଞ୍ଚ ।
ପ୍ରଥମେ ସମ୍ବଲପୁର ସମସ୍ତ ଅଞ୍ଚଳର ପାଣି ପାଇପ ମରାମତି କରାଯାଉ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉ ତା ପରେ ପାଣି ମିଟର ଲଗାଯାଉ ବୋଲି କହିଛି ମଞ୍ଚ । ସେହିପରି ବିଜେପି ସମ୍ବଲପୁର ବର୍ତ୍ତମାନ ପରିସ୍ଥିତି ରେ ସହରରେ ପାଣି ମିଟର ଲଗାଯିବାକୁ ବିରୋଧ କରି ଆଜି ଜିଲ୍ଲା ପ୍ରଶାସନଙ୍କୁ ସାକ୍ଷାତ କରି ଆଳୋଚନା କରିଛି । ବିଜେପି କହିଛି ଯେ ଜନସ୍ବାସ୍ଥ୍ୟ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ଜନବିରୋଧୀ । ଏନେଇ ଆଗକୁ ବିଜେପି ଜନ ଆନ୍ଦୋଳନ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି ।
ଇଟିଭି ଭାରତ, ସମ୍ବଲପୁର