ସମ୍ବଲପୁର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଶେଷ ହୋଇଛି ନାମାଙ୍କନ ଦାଖଲ । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ। ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ସମ୍ବଲପୁର ସ୍ଥିତି ।
ସମ୍ବଲପୁର ସମ୍ପର୍କରେ...
ସମ୍ବଲପୁର ଜିଲ୍ଲା (Sambalpur District) ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ପର୍ଯ୍ୟଟନ, କୃଷି, ଶିଳ୍ପ ଓ ବାଣିଜ୍ୟକୁ ନେଇ ସମୃଦ୍ଧ ଏହି ସର୍ବପୁରାତନ ଜିଲ୍ଲା । ଜିଲ୍ଲାର ଗୋଟିଏ ପାର୍ଶ୍ବରେ ବିସ୍ତିର୍ଣ୍ଣ ଶସ୍ୟ ଶ୍ୟାମଳା ତ ଅନ୍ୟ ଏକ ପାର୍ଶ୍ବରେ ଗଢି ଉଠିଛି ଶିଳ୍ପ କଳକାରଖାନ । ଏହି ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଜାତୀୟସ୍ତରର ପ୍ରତିଷ୍ଠାନ । ନିର୍ମାଣ ହୋଇଛି ଏସିଆ ମହାଦେଶର ସର୍ବବୃହତ ମାଟିବବନ୍ଧ । ପୂଜା ପାଉଛନ୍ତି ଇଷ୍ଟଦେବୀ ମା ସମଲେଶ୍ବରୀ । ଏହି ଜିଲ୍ଲାର ହସ୍ତକଳା ବିଶ୍ବ ବିଦିତ । ପର୍ଯ୍ୟଟନର ମଧ୍ୟ ରହିଛି ପ୍ରଚୁର ଭଣ୍ଡାର ।

ସମ୍ବଲପୁର ସମସ୍ୟା...
କୃଷି ପ୍ରଧାନ ଜିଲ୍ଲା ହେଉଛି ସମ୍ବଲପୁର । ଧାନ ଚାଷ ହେଉଛି ଏଠାକାର ଚାଷୀଙ୍କ ପ୍ରମୁଖ ଚାଷ । ହେଲେ ଏହି ଚାଷକୁ ନେଇ ଜିଲ୍ଲାରେ ସମସ୍ୟାର ଅନ୍ତ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବା ବେଳେ, ସରକାରଙ୍କ କୌଣସି ପ୍ୟାକେଜ ଏଠି ମିଳେ ନାହିଁ । ଚାଷୀ କେବେ ମରୁ଼ଡି ତ କେବେ ଅଦିନିଆ ବର୍ଷା ସାମନା କରେ । ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରେ । ହେଲେ ସରକାରଙ୍କ କୃତ୍ରିମ ବିପର୍ଯ୍ୟୟକୁ ସାମନ କରିପାରେ ନାହିଁ । ଚାଷୀ ଏଠି ଭାଙ୍ଗିପଡେ । ଧାନ ମଣ୍ଡିର ମାଳ ମାଳ ସମସ୍ୟା ଭିତରେ ଏଠାକର ଚାଷୀ ଛନ୍ଦି ହୋଇପଡନ୍ତି । ଶେଷରେ ଅଭାବି ବିକ୍ରିରେ ଚାଷୀ ଫସି ଯାଏ । ଜିଲ୍ଲାରେ ହୀରାକୁଦ ନଦୀବନ୍ଧ ଥିଲେ ସୁଦ୍ଧା ମୁଖ୍ୟାଳୟ ଠାରୁ ପ୍ରାୟ 80 କିମି ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟ 2 ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ରେଢାଖୋଲ ଓ କୁଚିଣ୍ଡା ଅଞ୍ଚଳର ଚାଷ ଜମିକୁ ଆଜି ଯାଏଁ ହୋଇପାରିଲା ନାହିଁ ଜଳସେଚନ । କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ କରିଥିବା ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସେଇଠି ହିଁ ଅଟକି ଯାଇଛି । ଏହାବାଦ ସବୁଜ ପରିବାର ମଧ୍ୟ ଅଭାବୀ ବିକ୍ରି ଆଉ ଏକ ବଡ ପ୍ରସଙ୍ଗ ହୋଇଛି ।

ଏହା ତ ଥିଲା ଚାଷ ଆଉ ଚାଷୀ ସମସ୍ୟା । ଜିଲ୍ଲାର ଆଉ ଏକ ବଡ ଓ ସମସ୍ୟା ହେଉଛି ବିସ୍ଥାପନ। ଏହି ଜିଲ୍ଲାର ଲୋକେ ଥରେ ନୁହେଁ 2 ଥର ଲେଖାଏଁ ହୋଇଛନ୍ତି ବିସ୍ଥାପିତ । ପ୍ରଥମେ ହୀରାକୁଦ ନଦୀବନ୍ଧ ପାଇଁ ପୁଣି ପରେ ଜିଲ୍ଲାରେ ଗଢିଉଠିଥିବା ବିଭିନ୍ନ ଶିଳ୍ପ ପାଇଁ । ହେଲେ ବିସ୍ଥାପିତ ବିକାଶ ପାଇଁ ସିନ ନିଜ ଭିଟାମାଟି, ପୁରୁଷ ପୁରୁଷ ଧରି ଅର୍ଜିଥିବା ସମ୍ପଦ ଓ କୂଳଦେବତାଙ୍କୁ ବିସ୍ଥାପନ ହେବାକୁ ଦେଲେ । କିନ୍ତୁ ସେହି ବିସ୍ଥାପିତଙ୍କ ପରବର୍ତ୍ତୀ ପିଢି ଏବେ ଯାଯାବର । ନା ମିଳିଲା ଉଚ୍ଚିତ କ୍ଷତିପୂରଣ, ନା ମିଳିଲା ସ୍ଥାୟୀ ଘରଡିହ ପଟ୍ଟା । ଫଳରେ ଆଜି ବି ଏହା ଏକ ବଡ ପ୍ରସଙ୍ଗ ହୋଇଛି ଜିଲ୍ଲାରେ । ଆଉ ନିର୍ବାଚନ ଆସିଲେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଙ୍କ ସ୍ଥିତି ନକହିବା ଉଚ୍ଚିତ ।
ସମ୍ବଲପୁର ସ୍ଥିତି...
ଜିଲ୍ଲାର ମୋଟ ଜନସଂଖ୍ୟା 2011 ଜନଗଣନା ଅନୁସାରେ ପ୍ରାୟ 10 ଲକ୍ଷ ରୁ ଉର୍ଦ୍ଧ୍ବ । ସେଥିମଧ୍ୟରୁ 7 ଲକ୍ଷ ରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେଳେ, 3 ଲକ୍ଷରୁ ଅଧିକ ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି । ଜିଲ୍ଲାରେ ମୋଟ 9 ଟି ବ୍ଲକ ଥିବା ବେଳେ, 4 ଟି ବିଧାନସଭା ଆସନ ରହିଛି । ଏହା ସହ 18 ଟି ଜିଲ୍ଲା ପରିଷଦ ଆସନ ରହିଛି । ଏକ ହଜାର 322 (1322) ଗାଁ ରହିଥିବା ବେଳେ, ଗ୍ରାମ ପଞ୍ଚାୟତ ହେଉଛି 138 । ଗୋଟିଏ ମହାନଗର ନିଗମ ସହ, 3 ଟି ସବଡିଭିଡନ, 2 ଟି ଏନଏସି ଓ 3 ଟି ତହସିଲ ରହିଛି ।
କଣ ଥିଲା ସତର ସ୍ଥିତି...
1997 ରେ ବିଜେପି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ କରିଥିଲା । 2002 ଓ 2007 ରେ କଂଗ୍ରେସ ଜିଲ୍ଲା ପରିଷଦ ଗଠନ କରିଥିଲା। ଏହା ପରେ 2012 ରେ ଜିଲ୍ଲା ପରିଷଦ କବଜା କରିଥିଲା ଶାସକ ବିଜେଡି । ପୁଣି 2017 ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରି ଶାସକ ଦଳ ପାଖରୁ ଛଡାଇ ଆଣିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେପି । ଆଉ ରାଧେଶ୍ୟାମ ବାରିକ ହୋଇଥିଲେ ଅଧ୍ୟକ୍ଷ । ଉପାଧ୍ୟକ୍ଷ ହୋଇଥିଲେ ପୁଷ୍ପାଞ୍ଜଳି ଧୁରୁଆ । 2017 ପଞ୍ଚାୟତ ନିର୍ବାଚନରେ କୁଚିଣ୍ଡା ଉପଖଣ୍ଡର 6ଟି ଜିଲ୍ଲା ପରିଷଦ ସିଟରୁ ବିଜେପି 5 ଟି ଓ ବିଜେଡି ଗୋଟିଏ ସିଟ ଜିତିଥିଲା। ଠିକ ସେହିପରି ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରେଙ୍ଗାଲୀ, ଧନକଉଡା ବ୍ଲକର 4 ଟି ଯାକ ସିଟ ବିଜେପି ବିଜୟୀ ହୋଇଥିଲା। ମାନେଶ୍ବର ବ୍ଲକର ଜୋନ 1 କୁ ବିଜେପି ଓ ଜୋନ 2 କୁ ବିଜେଡି ନେଇଥିଲା। ଯୁଜୁମୁରା ବ୍ଲକର ଜୋନ 1 କୁ ବିଜେପି ଓ ଜୋନ 2 କୁ ବିଜେଡି ଜିତିଥିଲା । ନାକଟିଦେଉଳ ବ୍ଲକର 2 ଟି ଯାକ ଜୋନକୁ ବିଜେପି ଜିତିଥିଲା । ଏଭଳି ଭାବେ ଗତ ଥର ବିଜେପି 13 ଓ ବିଜେଡି 5 ଟି ଜିଲ୍ଲା ପରିଷଦ ସିଟ ପାଇଥିଲେ।
ଅନ୍ୟପଟେ ଚଳିତ ନିର୍ବାଚନରେ 3 ପ୍ରମୁଖ ରାଜନୈତିକ, ନିଜ ନିଜ ବିଜୟ ନେଇ ଅଙ୍କକଷିବାରେ ଲାଗିଛନ୍ତି । ଶାସକ ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାକାରୀ ଯୋଜନା, ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତୀ କୁ ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି । ଏହାସହ ଦଳ ଜିଲ୍ଲା ପରିଷଦ ଦଖଲ ପାଇଁ ଆଶାବାଦୀ ଅଛି ।
ବିଜେପି ମଧ୍ୟ ନିଜ ଚମତ୍କାରିତା ଜାରି ରଖିବାକୁ ବେଶ ଆଶାବାଦୀ । 2 ବିଧାୟକଙ୍କ ସହ ସାଂସଦ ଥିବାରୁ ଏହାସହ ଜିଲ୍ଲାରେ ସଂଗଠନ ଶକ୍ତିଶାଳୀ ଥିବାରୁ ଶାସକ ଦଳକୁ ପୁଣି ଥରେ ମାତ ଦେବାକୁ ରଣନୀତି କରିଛି । ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା, ବିଚାର ଓ ବିକାଶବାଦକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି । ଏହାସହ ରାଜ୍ୟ ସରକାରଙ୍କ ବିଫଳତା ଚାଷୀଙ୍କ ସମସ୍ୟାକୁ ଦଳ ଅସ୍ତ୍ର କରିବ ।
ସେହିଭଳି ଜିଲ୍ଲାରେ କଂଗ୍ରେସ ଅସ୍ଥିତ୍ବ ହରେଇବା ଉପରେ ଥିବାରୁ କଂଗ୍ରେସକୁ ଗୋଟିଏ ଆସନ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି। ତେବେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ କହିଛନ୍ତି ଗତ ଥର ଅପେକ୍ଷା ଏଥର ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବ। ତେବେ ଜିଲ୍ଲା ପରିଷଦ ନିର୍ବାଚନରେ ପାର୍ଟି ଅପେକ୍ଷା କେତେକ ସ୍ଥଳରେ ନେତାଙ୍କୁ ଦେଖି ଲୋକେ ଭୋଟ ଦେଉଥିବାରୁ କଂଗ୍ରେସ କିଛି ସ୍ଥାନରେ ସେହି ଆଶାରେ ରହିଛି ।
ତେବେ ଏହି ସବୁ ରାଜନୈତିକ ସମୀକରଣ ବର୍ତ୍ତମାନ ସ୍ଥିତିରେ ରହିଛି। ନିର୍ବାଚନରେ କିଏ ଜିତିବ ଓ କିଏ ହାରିବ ତାହା ଜନତା ନିଷ୍ପତ୍ତି ନେବେ। ଆଗାମୀ ମାସ 26 ରୁ 28 ମଧ୍ୟରେ ସ୍ପଷ୍ଟ ହେବ କିଏ ହେବ ସମ୍ବଲପୁର ଜିଲ୍ଲାର ବାଜିଗର ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ