ସମ୍ବଲପୁର: କୋଭିଡ 19 ପାଇଁ ଦେଶ ସାରା ଲକ ଡାଉନ ଜାରି ରହିଛି। ଏହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି। ହେଲେ କୃଷି ଓ କୃଷକ ମାନଙ୍କ ଉପରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ପଡିଛି। ଆଉ ସମ୍ବଲପୁର ରେ ଥିବା କେତେକ ହାତ ଗଣତି ଫୁଲ ଚାଷୀ ଓ ଛୋଟ ବଡ଼ ଫୁଲ ବ୍ୟବସାୟୀଙ୍କ ଉପରେ ଏହି ଲକ ଡାଉନ ଅଭିଶାପ ସାବ୍ୟସ୍ତ ହୋଇଛି।
ଯାହାକୁ ନେଇ ଚିନ୍ତାରେ ସମ୍ବଲପୁରର ଫୁଲ ଚାଷୀ ଓ ବ୍ୟବସାୟୀ। ସହରରେ ହାତ ଗଣତି କେତେକ ଫୁଲ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେରେ ସମ୍ବଲପୁରର ଯୁବ ବ୍ୟବସାୟୀ ସିଦ୍ଧାର୍ଥ ସାହା ଜଣେ ଅଟନ୍ତି। ସହର ର ଫୁଲର ଚାହିଦା ମୁଖ୍ୟତଃ କୋଲକାତା ରୁ ଆସୁଥିବା ଫୁଲ ଉପରେ ନିର୍ଭର କରୁଥିବା ବେଳେ ସମ୍ବଲପୁର ରେ ସେ ନିଯେ ନିଜ ଫାର୍ମ ହାଉସରେ 50 ଡିସମିଲ ଜମିରେ ସରକାରୀ ସହାୟତାରେ ଜେର୍ବେରା ଫୁଲ ଚାଷ ଆରମ୍ଭ କରିଥିଲେ।
ଏହି ବ୍ୟବସାୟ ସଫଳ ହେବା ସହ ଗୋଟିଏ ଦିନରେ ଏଠାରେ 2000 ରୁ 3000 ଜେର୍ବେରା ଫୁଲ ବାହାରୁ ଥିଲା । ଯାହାକୁ ସ୍ଥାନୀୟ ବ୍ୟବସାୟୀ ଯେପରିକି ସମ୍ବଲପୁର, ବରଗଡ଼, ଝାରସୁଗୁଡାର ବ୍ୟବସାୟୀ ଅପେକ୍ଷାକୃତ କମ ଦରରେ ଫୁଲ ନେଇ ବ୍ୟବସାୟ କରୁଥିଲେ।
ତେବେ ବର୍ତ୍ତମାନ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧାର୍ମିକ ସ୍ଥଳ ବନ୍ଦ ହେବା ସହ ବିବାହ ,ବ୍ରତ ଆଦି ସାମାଜିକ କାର୍ଯ୍ୟ ବନ୍ଦ ହେବାରୁ ଏବେ ଫୁଲ ବ୍ୟବସାୟ ପୁରା ବନ୍ଦ ହୋଇଯାଇଛି ଓ ବଗିଚାର ଫୁଲ ବଗିଚାରେ ହିଁ ନଷ୍ଟ ହୋଇଯାଉଛି। ଏହି ସମସ୍ତ ଫୁଲର ରକ୍ଷଣା ବେକ୍ଷଣ କରିବାକୁ ନିଜ ପକେଟରୁ ଖର୍ଚ୍ଚ ହେଉଛି ବୋଲି ଫୁଲ ଚାଷି କହିଛନ୍ତି।
ସମ୍ବଲପୁର ସହରରେ ସାଧାରଣ ସମୟରେ ଗୋଟିଏ ଫୁଲ ବ୍ୟବସାୟୀ ଗୋଟିଏ ଦିନରେ 9 ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାଏ। ଏପରି ଭାବରେ ଜଣେ ବ୍ୟବସାୟୀର ଗୋଟିଏ ମାସରେ 2ଲକ୍ଷ 70 ହଜାର ଟଙ୍କାର ଟ୍ରାଞ୍ଜେକ୍ସନ ହୋଇଥାଏ। ଆଉ ଗ୍ରୀଷ୍ମ ୠତୁରେ ବିବାହ ଆଦି ବହୁତ ହେଉଥିବାରୁ ଏହି ବ୍ୟବସାୟ ଆହୁରି ବଢିଯାଇଥାଏ।
ତେବେ ବର୍ତ୍ତମାନ ଲକ ଡାଉନ ଯୋଗୁ ଦୋକାନ ବଜାର ପରିବହନ ସବୁ ଠପ ହେବା ସହ କୌଣସି ସମାଜିଜ ଅନୁଷ୍ଠାନ ହେଉ ନଥିବାରୁ ଏବେ ଏହି ଛୋଟ ଫୁଲ ବେପାରୀ ମାନଙ୍କ ବ୍ୟବସାୟ ପୁରାପୁରି ବନ୍ଦ ହୋଇଯାଇଛି। ଏହି ଲକଡାଉନ କେବଳ ଫୁଲ ଚାଷୀ ନୁହେଁ ଫୁଲ ବ୍ୟବସାୟୀଙ୍କ ବ୍ୟବସାୟକୁ ମଧ୍ୟ ଲକ କରିଦେଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ