ସମ୍ବଲପୁର: ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ଖୋଲିଲା ଡାଇଲିସିସ ସେବା । ଆଜି (ସୋମବାର) ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏହି ସେବାର ଲୋକାର୍ପଣ କରିଛନ୍ତି । ପିପିପି ମୋଡ୍ରେ ଏହିସେବାର ଶୁଭାରମ୍ଭ କରାଯାଇଛି । ଏହା ଦ୍ବାରା ଗରିବ ଶ୍ରେଣୀର କିଡନୀ ରୋଗୀମାନେ ଉପକୃତ ହେବେ ।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ମାଗଣା ଡାଇଲିସିସ ସେବା । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, CDMO ଅଶୋକ ଦାସ ଓ ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଉପସ୍ଥିତିରେ ଫିତା କାଟି ଶୁଭାରମ୍ଭ କରିଛନ୍ତି । ଏହା ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସକାଳ 8 ରୁ ସନ୍ଧ୍ୟା 8 ଟା ପର୍ଯ୍ୟନ୍ତ ସେବା ଉପଲବ୍ଧ ରହିବ । ପ୍ରାଥମିକ ପର୍ଯ୍ୟାୟରେ 7ଟି ବେଡ଼ର ବ୍ୟବସ୍ଥା କରାଯାଇଛି ।
ଜିଲ୍ଲା ପ୍ରଶାସନ ଓ ଏକ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ପିପିପି ମୋଡ଼ ପରିଚାଳିତ ହେବ। ଏଥିପାଇଁ ଘରୋଇ ସଂସ୍ଥା ଡାକ୍ତର ଓ ସହାୟକ ଷ୍ଟାପ ଯୋଗାଇବ । ମୁଖ୍ୟତଃ କିଡନୀ ରୋଗୀ ମାନେ ଘରୋଇ ଡାଇଲିସିସ କେନ୍ଦ୍ରକୁ ଯାଇ ଅଧିକ ଖର୍ଚ୍ଚର ଶିକାର ହୋଇଥାନ୍ତି । ଫଳରେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଏହିସେବା ଉପଲବ୍ଧ ପରେ ଗରିବ ଲୋକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ