ସମ୍ବଲପୁର : ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ସୁବିଧା ପାଇଁ ନିର୍ମାଣ ହୋଇଥିବା ନବ ନିର୍ମିତ ରାସ୍ତାଟି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକ ଅଞ୍ଚଳର ମାଧପୁରରୁ ତ୍ରିବଣପୁର ରାସ୍ତାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ନବନିର୍ମିତ ରାସ୍ତାକୁ ହାତରେ ଧରିବା କ୍ଷଣି ରାସ୍ତାର ପିଚୁ ଉପୁଡି ଯାଉଛି ।
ଏହି ରାସ୍ତାକୁ ଯେ ଦେଖୁଛି ସେ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଯେ ରେଢାଖୋଲ ବ୍ଲକର ମାଧପୁରରୁ ତ୍ରିବଣପୁରକୁ ଯାଇଥିବା ୭ କିମି ରାସ୍ତାକୁ ପିଡବ୍ଲୁଡି (PWD) ବିଭାଗ ତରଫରୁ ନିର୍ମାଣ କରାଯାଇଛି । ଏହି ରାସ୍ତାକୁ ନିର୍ମାଣ ପାଇଁ ବହୁବାର ଦାବି ପରେ ଏହି ରାସ୍ତାଟି ନିର୍ମାଣ କରାଯିବା ପରେ ବି ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ନିର୍ମାଣ ସରିବା କ୍ଷଣି ପିଚୁ ଉଠିଯାଇଥିଲା ।
ଏହାକୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ରାସ୍ତା ଦେଇ ଚାରମାଳ ଠାରୁ ସିଧାସଳଖ ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ସିଧାସଳଖ ଯାତାୟତ ସୁବିଧା ରହିଛି । ଏଥିସହ ଏହି ରାସ୍ତା ଉପରେ ଭରତାପୁର ଓ ତ୍ରିବଣପୁର ପଞ୍ଚାୟତର ପ୍ରାୟ ୨୫ ଗୋଟି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭର କରିଥାନ୍ତି ।
ଏନେଇ ରାସ୍ତା ନିର୍ମାଣ ସମୟରେ ବାରମ୍ବାର ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ବାରମ୍ବାର ପିଡବ୍ଲୁଡି ବିଭାଗକୁ ଜଣାଇଥିଲେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ନିମ୍ନମାନର ରାସ୍ତା କାମକୁ ନେଇ ଜିଲ୍ଲାର ଆଇନଜୀବୀ ମହଲରେ ଉଦବେଗ ପ୍ରକାଶ ପାଇବା ସହ ସମ୍ପୃକ୍ତ ଠିକାଦାରଙ୍କ ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ମାଧପୁର ଓ ତ୍ରିବଣପୁର ରାସ୍ତା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଦାବି ତେଜୁଥିବାବେଳେ ଏନେଇ PWD ବିଭାଗ ତରଫରୁ ତଦନ୍ତ କରାଯିବ ବୋଲି ସୁଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ