ସମ୍ବଲପୁର: ଥମୁନି ବୁର୍ଲା ଭୀମସାର ମେଡିକାଲ ବିବାଦ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ମେଡିକାଲ । ଏଠାରେ ନିୟମିତ ଭାବେ ଦେଖାଯାଉଥିବା ଅସନ୍ତୋଷ । ଯାହାର ପ୍ରତିବାଦ କରିଛି ସମ୍ବଲପୁର ବିଜେପି । ମେଡିକାଲର ଅବହେଳା ଓ ଶୋଚନୀୟ ପରିସ୍ଥିତି ପାଇଁ ଗରିବ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରି ଜିଲ୍ଳାପାଳ ଅଫିସ ଘେରାଉ କରିଛି ବିଜେପି ।
ଗତ 15 ଦିନ ମଧ୍ୟରେ ବୁର୍ଲା ମେଡିକାଲରେ ଡ଼ାକ୍ତରଙ୍କ କଙ୍ଗାରୁ କୋର୍ଟରେ ରୋଗୀ ସମ୍ପର୍କୀୟ ନିର୍ଯ୍ୟାତିତ ହେବାର ଭିଡିଓ ଭାଇରାଲ ହେବା ଓ ପରେ ଏଚଆଇଭି ରୋଗୀଙ୍କ ବିବାଦୀୟ ଅସ୍ତ୍ରୋପଚାର ଘଟଣା ପ୍ରଘଟ ହୋଇଛି।
ଏଭଳି ପରିସ୍ଥିତିରେ କେବଳ ରୋଗୀ ମାନେ ହିଁ ଅସୁବିଧାରେ ପଡୁଛନ୍ତି। ତେବେ 2 ଟି ଯାକ ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହାର ପ୍ରତିବାଦ କରିଛି ସମ୍ବଲପୁର ବିଜେପି।
ଶୁକ୍ରବାର ଜିଲ୍ଲା ବିଜେପି କାର୍ଯ୍ୟଳୟରୁ ରେଙ୍ଗାଲିର ବିଜେପି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।
ଏହାସହ ଭୀମସାର ଦୋଷୀ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଫିସ ବାହାରକୁ ଆସିବାରେ ବିଳମ୍ବ କରିବାରୁ କିଛି ସମୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଆନ୍ଦୋଳନରେ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ସମେତ ବହୁ ସ୍ଥାନୀୟ ବିଜେପି ନେତା ସାମିଲ ହୋଇଥିଲେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ