ସମ୍ବଲପୁର: ସମ୍ବଲପୁରରେ ସେଓ ବଗିଚା । ଗଛରେ ଫଳଛି ତାଜା ତାଜା ସେଓ । ଏହା ଦେଖିଲେ ବି ବିଶ୍ବାସ କରିହେଉନଥିଲେ ମଧ୍ୟ ଏପରି କରି ଦେଖାଇଛନ୍ତି ସମ୍ବଲପୁର ଜମେନକିରା ବ୍ଲକ ଗମ୍ଭାରୀମୁଣ୍ଡା ଗାଁର 3 ଭାଇ । ନିଜ ବଗିଚାରେ ପ୍ରାୟ 50ଟି ଗଛ ଲଗାଇ ଏଥିରେ ସେଓ ଫଳାଇବାରେ ସଫଳ ହୋଇଛନ୍ତି ଗାଁର ଉମାକାନ୍ତ କଉଡି ଓ ତାଙ୍କର ଦୁଇ ଭାଇ ।
ସମ୍ବଲପୁରରେ ସେଓର ଚାହିଦା ଥିବାବେଳେ ଦାମ ଅଧିକ ରହୁଥିବାରୁ ଏଠାରେ ସେଓ ଚାଷ କରିବାକୁ ମନବଳାଇଥିଲେ ତିନି ଭାଇ । ପରେ ୟୁଟ୍ୟୁବରୁ ଚାଷ କରିବାର ପ୍ରକ୍ରିୟା ଦେଖି, ଅନଲାଇନରେ ଉନ୍ନତ କିସମର ଚାରା ମଗାଇଥିଲେ । ଯାହାକୁ ନିଜ ବାଡିରେ ଲଗାଇବା ସହ ପାଖାପାଖି 17 ମାସ ପରିଶ୍ରମ କରି ଗଛରେ ଫଳ ଫଳାଇବାରେ ସଫଳ ହୋଇଛନ୍ତି ଏମାନେ ।
![ଫଳ ଚାଷ କରି ସଫଳ ହେଲେ 3 ଭାଇ, ସମ୍ବଲପୁରରେ ଫଳିଲା ସେଓ](https://etvbharatimages.akamaized.net/etvbharat/prod-images/od-sam-03-apple-farming-in-kuchinda-spl-pkg-7202776_02072020112232_0207f_00537_629.jpg)
ବିଶେଷ କରି ସେଓ ଚାଷ, ଥଣ୍ଡା ଜଳବାୟୁ ଅଞ୍ଚଳରେ ହେଉଥିବାବେଳେ ସମ୍ବଲପୁରରେ ସେମାନେ ଏହାକୁ କରି ଦେଖାଇଛନ୍ତି । ଉପଯୁକ୍ତ ସମୟରେ ପାଣି, କୀଟନାଶକ ଓ ହରମୋନ ଦେଇ ସେମାନେ ଫଳ ଫଳାଇବାକୁ ସଫଳ ହୋଇଛନ୍ତି ।
ସେପଟେ ପୂର୍ବରୁ କେବଳ ଥଣ୍ଡା ଜଳବାୟୁ ଅଞ୍ଚଳରେ ସେଓ ହେଉଥିବାବେଳେ ଏବେ ଉନ୍ନତ କିସମର ସେଓ ଚାରା ପାଇଁ ଅପେକ୍ଷାକୃତ ଗରମ ପରିବେଶରେ ମଧ୍ୟ ଫଳ ହୋଇପାରୁଛି । ତେଣୁ ଆଗାମୀ ଦିନରେ ଏହି ଚାଷକୁ ଅନେକ ଚାଷୀ ଆପଣାଇବେ ବୋଲି ସ୍ଥାନୀୟ ଉଦ୍ଭିଦ ଵିଜ୍ଞାନୀ କହିଛନ୍ତି ।
ତେବେ ସମ୍ବଲପୁରରେ ପ୍ରାୟତଃ ସେଓ ହେଉନଥିବାବେଳେ ଏହି ତିନି ଭାଇ ଏହାକୁ କରିଦେଖାଇଥିବାରୁ ଆଗାମୀ ଦିନରେ ଅନେକ ଚାଷୀ ଏଥିପ୍ରତି ଆକୃଷ୍ଟ ହେବେ ବୋଲି ଆଶା ।
ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରଣା, ଇଟିଭି ଭାରତ