ରାଉରକେଲା : ସ୍ବଚ୍ଛ ସର୍ବେକ୍ଷଣ 2020 ପ୍ରକାଶିତ ହୋଇସାରିଛି । ଓଡିଶା ରାଜ୍ୟ ଶ୍ରେଣୀରେ 8ମ ସ୍ଥାନ ଅଧିକାର କରିଛି । ରାଜ୍ୟରେ ସବୁଠାରୁ ସ୍ବଚ୍ଛର ମାନ୍ଯତା ପାଇଛି ବ୍ରହ୍ମପୁର । ଦ୍ବିତୀୟରେ ରହିଛି ଷ୍ଟିଲ ସିଟି ରାଉରକେଲା । ଗତ ବର୍ଷ ତୁଳନାରେ ଏଥର ଭଲ ମାର୍କ ରଖିଛି ରାଉରକେଲା । 1 ଲକ୍ଷରୁ 10 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରର ଗତ ବର୍ଷ 353 ସ୍ଥାନରେ ଥିବାବେଳେ ଏଥର 156କୁ ଉତ୍ତୀର୍ଣ୍ଣ ହୋଇଛି । ସମୁଦାୟ 6000 ନମ୍ବରରୁ 2794.55 ନମ୍ବର ରଖିଛି ରାଉରକେଲା ମହାନଗର ନିଗମ।
ପ୍ରଥମେ ଓଡ଼ିଏଫ ଏବଂ ପରେ ଓଡ଼ିଏଫ ପ୍ଲସ ପ୍ଲସ ସହର ଭାବେ ରାଉରକେଲା ପୂର୍ବରୁ ମାନ୍ୟତା ପାଇସାରିଛି। ଗାରବେଜ ଫ୍ରି ସିଟି ଷ୍ଟାର ରାଙ୍କିଙ୍ଗରେ ୱାନ ଷ୍ଟାର ରାଙ୍କିଙ୍ଗ ପାଇଛି। ତେବେ ଏଥିରେ ମହାନଗର ନିଗମ କର୍ତ୍ତୃପକ୍ଷ ବିଶେଷ ସନ୍ତୁଷ୍ଟ ନଥିଲେ ହେଁ ଆଗକୁ ସହରକୁ ଆହୁରି ସ୍ଵଚ୍ଛ ରଖିବା ଲାଗି ଭରପୁର ପ୍ରୟାସ କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ଯାହା କିଛି କିଞ୍ଚିତ ସଫଳତା ମିଳିଛି ତାହାର ଶ୍ରେୟ ନିଶ୍ଚିତ ଭାବେ ରାଉରକେଲା ବାସୀଙ୍କର ଏବଂ ସେମାନଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ ରାଉରକେଲା ସ୍ଵଛ ସହର ତାଲିକାରେ ଆହୁରି ଉପରକୁ ଉଠିପାରିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।
ସ୍ବଚ୍ଛତା ଦିଗରେ ସହରର ସମସ୍ତ ଗୋଷ୍ଠୀ ଶୌଚାଳୟ ଓ ସର୍ବ ସାଧାରଣ ଶୌଚାଳୟର ଉନ୍ନତିକରଣ କାମ ହାତକୁ ନିଆଯାଇଛି। ଆଗକୁ ଏହାର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବ। ଫଳରେ ମହିଳା ସଶକ୍ତିକରଣ ସାଙ୍ଗକୁ ସ୍ଵଚ୍ଛ ଶୌଚାଳୟର ଲକ୍ଷ ସାଧିତ ହୋଇପାରିବ। ଏତଦ ବ୍ୟତୀତ ସେଠାରେ ଉନ୍ନତ ଉପକରଣ ସବୁ ମଧ୍ୟ ଲଗାଯିବ। ସାଇଣ୍ଟିଫିକ ଲ୍ୟାଣ୍ଡଫିଲ ସାଇଟ, କନଷ୍ଟ୍ରକସନ ଓ ଡେମୋଲିସନ ୱେଷ୍ଟ ପରିଚାଳନା, ଆବର୍ଜନା ପରିଚାଳନାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ଅତ୍ୟାଧୁନିକ ଯାନ୍ତ୍ରିକ ଉପକରଣ ତଥା ଗାଡିର ବ୍ୟବହାର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମାଇକ୍ରୋକଂ ପୋଷ୍ଟିଂ ସେଣ୍ଟର କାମ ଏବେ ଜୋରସୋରରେ ଚାଲିଛି।
ଖୁବ ଶୀଘ୍ର ଏସବୁ କାମ ଶେଷ ହେଲେ, ରାଉରକେଲା ସ୍ଵଚ୍ଛ ସର୍ବେକ୍ଷଣ ୨୦୨୧ ରେ ନିଶ୍ଚୟ ଭଲ ନମ୍ବର ରଖିଵ ବୋଲି ନିଗମ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। ସମସ୍ତ ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ସେମାନଙ୍କ ସେବା ଲାଗି କର୍ତ୍ତୃପକ୍ଷ ଧନ୍ୟବାଦ ଜଣାଇବା ସହ ଆଗକୁ ଆହୁରି ଉତ୍ତମ ପ୍ରଦର୍ଶନ ନିମନ୍ତେ ପରାମର୍ଶ ଦେଇଛନ୍ତି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ