ରାଉରକେଲା: ବେଆଇନ ଖଣି ଖନନ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପ୍ରତାପ ପ୍ରସାଦଙ୍କ କାଗଜ ପତ୍ର ଯାଞ୍ଚ ପାଇଁ ନୋଟିସ୍ ଦେଇଥିଲା । ହେଲେ ପ୍ରତାପ ନିଜେ କାଗଜପତ୍ର ଯାଞ୍ଚ କରିବା ବଦଳରେ ଅନ୍ୟ ଲୋକଙ୍କ ହାତରେ କାଗଜ ଯାଞ୍ଚ ପାଇଁ ପଠାଇଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର କ୍ରାଇମବ୍ରାଞ୍ଚର ଜଣେ ଡିଏସପି ତଥା ଇନ୍ସପେକ୍ଟର ସ୍ତରର ଅଫିସର, ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଥିଲେ । ତେବେ ପଚରାଉଚରା ସମୟରେ ଏହା ସ୍ପଷ୍ଟ ହୋଇଥିଲା କି ଏକ ବିଲ ଜାଗାରେ ଜଣେ ପଥର ଖଣି ଲିଜ ନେଇ ଖଣି ଖନନ କରୁଥିଲେ । ତେବେ ଲିଜ୍ ସ୍ଥାନରେ ସେ କିଛି ଉତ୍ତୋଳନ ନ କରି ଅନ୍ୟ ସ୍ଥାନରେ ପଥରଖଣି ଚଳାଇ ଆସୁଥିବା ଅଭିଯୋଗ ହୋଇଛି।
ଗତ ମାର୍ଚ୍ଚ ମାସରେ ଲିଜ ନବୀକରଣ ଆବେଦନ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତାପରେ ବିଶ୍ରା ତହସିଲଦାର ଜିଲ୍ଲା ପ୍ରଶାସନ ତଥା ପୋଲିସକୁ ଲିଖିତ ସୂଚନା ଦେଇଥିଲେ କିନ୍ତୁ ପ୍ରଶାସନ କିମ୍ବା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ପରେ ଏହା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ଜଣାପଡିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ