ରାଉରକେଲା: ଛତିଶଗଡରେ ପାଇଁ ସୀମାନ୍ତ ଅଞ୍ଚଳରେ ସଂକ୍ରମଣ ବଢିବା ଲାଗିଛି । ରାଜ୍ୟରେ ସବୁଠାରୁ ପ୍ରଭାବିତ ହୋଇଛି ସୁନ୍ଦରଗଡ । ସୁନ୍ଦରଗଡ ଜିଲ୍ଲାରୁ ଦୈନିକ ସଂକ୍ରମଣ 500 ଅତିକ୍ରମ କରିଛି । କୋରୋନା ସଂକ୍ରମଣ ଓ ଚିକିତ୍ସାକୁ ନେଇ ରାଉରକେଲାର ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇବା ସହ ଆବଶ୍ୟକ ଚିକିତ୍ସା କରାଇବା ଜରୁରୀ ।
ରାଉରକେଲାର ସରକାରୀ ଚିକିତ୍ସାଳୟ(ଆରିଜିଏଚ) କିମ୍ବା ଅନ୍ୟ ଘରୋଇ ଚିକିତ୍ସାଳୟର ଫ୍ଲୁ-କ୍ଲିନିକ ସହ ପରାମର୍ଶ କରିବା ଦରକାର । ସେଠାରେ ଲକ୍ଷଣ ଦେଖିବା ପରେ ଡାକ୍ତର କୋଭିଡ୍ ପରୀକ୍ଷା ପାଇଁ ପରାମର୍ଶ ଦେଇପାରନ୍ତି। ତେବେ କୋଭିଡ୍ ପରୀକ୍ଷା ଆବଶ୍ୟକ ହେଉ ନଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରି ଘରେ ବିଶ୍ରାମ ନେବାକୁ ପ୍ରଶାସନର ବିଜ୍ଞପ୍ତିରେ କୁହାଯାଇଛି ।
କେଉଁଠି ପରୀକ୍ଷା କରିବେ ?
ଯେଉଁ ରୋଗୀଙ୍କର କୋଭିଡ୍ ପରୀକ୍ଷା ଆବଶ୍ୟକ ଡାକ୍ତର ସେ ବାବଦରେ ପରାମର୍ଶ ଦେବେ। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ଏବଂ ସେକ୍ଟର-୬ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉଭୟ ଆରଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା ଲାଗି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାର ଜେପି ହସ୍ପିଟାଲ, ଭେଷଜ ପଟେଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆଇଜିଏଚ୍ ଏବଂ ବନ୍ଦମୁଣ୍ଡାସ୍ଥିତ ରେଲୱେ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି। କୋଭିଡ୍ ଟେଷ୍ଟ କରାଉଥିବା ବ୍ୟକ୍ତିମାନଙ୍କ ସୂଚନା ପାଇଁ ରାଉରକେଲା ମହାନଗର ନିଗମ ୱେବସାଇଟରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରକାଶ କରାଯିବ।
କେଉଁଠି ଚିକିତ୍ସା କରିବେ ?
କୌଣସି ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ଯଦି ପଜିଟିଭ୍ ଆସେ ସେ ଚାହିଁଲେ ଯେ କୌଣସି ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସା କରିପାରିବେ। କାରଣ ସବୁ ଘରୋଇ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ବେଡ୍ ସୁବିଧା ରହିଛି। ତେବେ ଯେ କେହି କୋଭିଡ୍ ପଜିଟିଭ୍ ବ୍ୟକ୍ତି ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ହାଇଟେକ୍ କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ। ରାଉରକେଲା ସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତି ପହଞ୍ଚିବା ପରେ ତାଙ୍କର ସେଠାରେ ପରୀକ୍ଷା କରାଯିବ। ତାଙ୍କର ଚିକିତ୍ସା କୌଣସି ସରକାରୀ କୋଭିଡ୍ ହସ୍ପିଟାଲ ଯେପରିକି ହାଇଟେକ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କିମ୍ବା ଜେ ପି କୋଭିଡ୍ ହସ୍ପିଟାଲରେ କରାଯିବ।
ହୋମ ଆଇସୋଲେସନ
ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କର ପରୀକ୍ଷା ପରେ ଆବଶ୍ୟକ ହେଲେ ତାଙ୍କୁ ହୋମ ଆଇସୋଲେସନ ପାଇଁ ଡାକ୍ତର ପରାମର୍ଶ ଦେଇପାରନ୍ତି। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହ ନିଶ୍ଚିତ ଭାବେ ୧୪ ଦିନ ଯାଏଁ ଘରେ ସଙ୍ଗରୋଧରେ ରହିବାକୁ ପଡିବ।
ଘରେ ସଙ୍ଗରୋଧ ବେଳେ ରୋଗୀଙ୍କ ଠାରେ ଯଦି କୌଣସି ଲକ୍ଷଣ ଦେଖାଦିଏ ତାହାଲେ ସେ ୭୦୦୮୫୩୪୩୮୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପରିବାର ଲୋକେ କୋଭିଡ୍ ଟେଷ୍ଟ କରାଇନେବା ଆବଶ୍ୟକ।
କୋଭିଡ୍ ଚିକିତ୍ସା ଓ ପରାମର୍ଶ ପାଇଁ ବିଭିନ୍ନ ହସ୍ପିଟାଲର ଫୋନ ନମ୍ବର ଜାରି କରାଯାଇଛି। ହାଇଟେକ୍ ହସ୍ପିଟାଲ – ୯୪୩୭୦୪୪୮୩୮, ୯୨୩୭୨୩୦୪୬୩। ଶାନ୍ତି ମେମୋରିଆଲ ହସ୍ପିଟାଲ – ୭୨୦୫୩୧୮୧୦୧, ୦୬୬୧-୨୫୧୧୩୦୦, ୭୨୦୫୩୧୮୧୦୫ (ଟିକାକରଣ) ଏବଂ ୭୨୦୫୩୧୮୧୦୪ (ଫାର୍ମାସି)। ଜେପି ହସ୍ପିଟାଲ – ୦୬୬୧-୨୪୬୧୧୦୦ (ହେଲ୍ପଲାଇନ୍), ୮୧୧୮୦୬୦୭୪୯ (କୋଭିଡ୍ ୱାର୍ଡ), ୯୦୭୮୮୮୪୭୪୧ (କୋଭିଡ୍ ଆଇସିୟୁ)।