ରାଉରକେଲା: ସରକାର ବାଲ୍ୟ ବିବାହ ରୋକିବାକୁ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ସୃଷ୍ଟି କରୁଛନ୍ତି । ଏହାସହ ଏହା ଅପରାଧ ହୋଇଥିବାରୁ ଏନେଇ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ମାତ୍ର ଲୋକଙ୍କ ମଧ୍ୟରେ ଏହା କେତେଦୂର କାର୍ଯ୍ୟକ୍ଷମ ହୋଇଛି, ତାର ବାସ୍ତବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଉରକେଲା ନୂଆଗାଁ ବ୍ଲକର ପତ୍ରାପଲ୍ଲୀ ଗାଁରେ ଜଣେ ନାବାଳିକା ବିବାହ ଖବର ପାଇଁ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ରୋକିବାରେ ସାମର୍ଥ୍ୟ ହୋଇଛି ।
ସୋମବାର ଜଣେ ନାବାଳିକାର ବିବାହ ଖବର ପାଇ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ନାବାଳିକାକୁ ଉଦ୍ଧାର କରିଛନ୍ତି। ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସୁଦାମ ମହତୋ ଉକ୍ତ ନାବାଳିକା ସହିତ ବିବାହ ପାଇଁ ବରଯାତ୍ରୀ ନେଇ ଗାଁକୁ ଆସିଥିଲେ ।
ମାତ୍ର ବିବାହ ଆରମ୍ଭ ହେବା ପୂର୍ବରୁ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ନାବାଳିକାର ବୟସ ଯାଞ୍ଚ କରିବା ପରେ ଉକ୍ତ ନାବାଳିକାର ବୟସ 16 ବର୍ଷ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ