ସୁନ୍ଦରଗଡ଼: ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ଉଦଘାଟିତ ହେଲା ଭେଣ୍ଟିଲେଟର ସୁବିଧା ଥିବା ୬୦ଟି ନୂତନ ଶଯ୍ୟା । ରାଉରକେଲା ଇସ୍ପାତ କାରଖାନାରେ ଏହି ନୂତନ ଶଯ୍ୟା ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ମାର୍ଚ୍ଚ ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୦ଟି ଆଇସିୟୁ ବେଡ ସହ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କରିଥିଲେ ।
ଭର୍ଚୁଆଲରେ ଆଜି (ଗୁରୁବାର) ପୂର୍ବାହ୍ନ ୧୧.୩0 ମିନିଟରେ ଏହି ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲା । ବର୍ତ୍ତମାନ ଏହି ହସ୍ପିଟାଲରେ ୧୦୦ ଟି ଆଇସିୟୁ ଭେଣ୍ଟିଲେଟର ବେଡର ସୁବିଧା ରହିଛି । ଏହି ହସ୍ପିଟାଲରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁର ସମେତ ପଡ଼ୋଶୀ ରାଜ୍ୟର କୋରୋନା ଆକ୍ରାନ୍ତ ମଧ୍ୟ ଚିକିତ୍ସା ପାଇ ପାରିବେ । ସେପଟେ କୋରୋନା ଆକ୍ରାନ୍ତଙ୍କ ପାଇଁ ରାଉରକେଲା ଫର୍ଟିଲାଇଜର ଅଞ୍ଚଳରେ ଥିବା ପ୍ଲାଣ୍ଟକୁ ୪୦୦ ଶଯ୍ୟା, ୧୦୦ ଭେଣ୍ଟିଲେଟର ଓ ଅମ୍ଳଜାନଯୁକ୍ତ ନୂତନ ହସ୍ପିଟାଲ କରାଯିବ । ଏହାକୁ ନେଇ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସୂଚନା ଦେଇଛନ୍ତି ।
ସୁପର ସ୍ପେଶାଲିଟି ହସ୍ପିଟାଲରେ ୬୦ଟି ନୂତନ ଶଯ୍ୟା ଉଦଘାଟନ ପରେ କୋରୋନାରେ ଆକ୍ରାନ୍ତଙ୍କୁ ଉଚିତ ଚିକିତ୍ସା ମିଳିପାରିବ । କେନ୍ଦ୍ରମନ୍ତ୍ରୀଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁ ବିକଶିତ କରାଯିବା ସହିତ କାର୍ଯ୍ୟକ୍ଷମ ହୋଇ ପାରିଛି ବୋଲି କହିଛନ୍ତି ଜୁଏଲ ଓରାମ । ଏହି ଭିଡିଓ କନଫରେନ୍ସିଂ ଉଦଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ