ପୁରୀ: ୟେସ୍ ବ୍ୟାଙ୍କ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଆରବିଆଇ ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟର ମାନଙ୍କ କ୍ଷମତା ସଙ୍କୁଚିତ କରି ନିଜ ହାତକୁ କ୍ଷମତା ନେଇଛି । ଅନ୍ୟପଟେ ୟେସ୍ ବ୍ୟାଙ୍କର ଏପରି ସ୍ଥିତି ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ଦେଖାଦେଇଛି ଆଶଙ୍କା ।
ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫କୋଟି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ଚିନ୍ତା ବଢିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ଏଠାରୁ ଦରମା ନିଅନ୍ତି । ଯଦି ଏହି ଟଙ୍କା ବୁଡିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ଗତ ୨୦ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍ ବ୍ୟାଙ୍କ ଜମା ଟଙ୍କାକୁ ନେଇ ତୁମ୍ବିତୋଫାନ ହୋଇଥିଲା ।
ତେବେ ଶ୍ରୀମନ୍ଦିର ପରିଚଳନା କମିଟିର ବିନା ଅନୁମୋଦନରେ କେଉଁ ଅଧିକାରୀ ଏହି ଭଳି ସାଙ୍ଘାତିକ କାର୍ଯ୍ୟ କରିଛନ୍ତି ତୁରନ୍ତ ସରକାର ତଦନ୍ତ କରି କଡା କାର୍ଯ୍ୟନୁଷ୍ଠାନ ନେବାକୁ ସେବାୟତ ଦାବି କରିଛନ୍ତି। ସେହିପରି ମହାପ୍ରଭୁଙ୍କ ଜମା ଟଙ୍କା କିଭଳି ସୁରକ୍ଷିତ ରଖାଯାଇ ପାରିବ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ମହେଶ୍ବର ମହାନ୍ତି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରି କିଭଳି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଅଣାଯାଇ ଅନ୍ୟ ଜାତୀୟ କରଣ ବ୍ୟାଙ୍କରେ ରଖାଯାଇ ପାରିବ ସେ ନେଇ କାର୍ଯ୍ୟ କରିବାକୁ ବିଜେଡିର ବରିଷ୍ଠ ନେତା ମତ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ