ପୁରୀ: ଆସନ୍ତାକାଲି(ଶୁକ୍ରବାର) ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ସମେତ ପଶ୍ଚିମ ଦ୍ଵାର ଦେଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହାସହ ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ଭକ୍ତ ମାନେ ପ୍ରସ୍ଥାନ କରିବେ। ତେବେ ଆସନ୍ତା ମେ ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ । ଏହାସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ କୋଭିଡ ସଂକ୍ରମଣ ଯୋଗୁଁ ଗତ ଦୁଇବର୍ଷ ଧରି ଭକ୍ତମାନେ ଚନ୍ଦନ ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିବାବେଳେ ଏଥର କିନ୍ତୁ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ ।
ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଏହାକୁ ହ୍ରାସ କରିବା ଏବଂ ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନଯାତ୍ରା ପାଇଁ ବଡ଼ଦାଣ୍ଡରେ ଠାକୁରଙ୍କ ବିମାନ ସୁରୁଖୁରୁରେ ଯିବା ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଆସନ୍ତା ରଥଯାତ୍ର ପର୍ଯ୍ୟନ୍ତ ଭକ୍ତ ମାନେ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି । ପଶ୍ଚିମ ଦ୍ଵାରରେ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ଏବଂ ସେଡ ନିର୍ମାଣ ସହ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଭକ୍ତ ଓ ସେବାୟତ ମାନେ ସ୍ବାଗତ କରିଛନ୍ତି ।
ସେପଟେ ଆସନ୍ତା ମେ’ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବାୟତ ମାନେ ରଥ ଚାଳି ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ସେହିପରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବାରୁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ଶ୍ରୀମନ୍ଦିର ପାରମ୍ପରିକ ଚିତ୍ରକର ସେବକ ମାନେ ମନ୍ଦିରର ଜଗମୋହନ ସହ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଦେବା କାର୍ଯ୍ୟ କରୁଛନ୍ତି । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ତେବେ କୋଭିଡ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ମାନେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅବସରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ଓ ପୋଲିସ ପ୍ରଶାସନ ବିଶେଷ ଧ୍ୟାନ ଦେଇଛି । ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳର ରାସ୍ତାଘାଟ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ସହ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ବୈଠକରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ