ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ନ ମିଳିବା ଘଟଣା (Ratna Bhandara Keys Missing) । ତୁରନ୍ତ ଘଟଣାର ତଦନ୍ତ ଓ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଭକ୍ତ ଓ ବୁଦ୍ଧିଜୀବୀ ।
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି 1970 ମସିହାରୁ ଜିଲ୍ଲା ଟ୍ରେଜେରୀରେ ନ ଥିବା କଥା ସୂଚନା ଅଧିକାର ତଥ୍ୟରେ ଜଣାପଡିଛି। ଏହି ତଥ୍ୟ ଜଣାପଡିବା ପରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାବି ହଜିବା ପଛରେ କାରଣ କଣ ? କେଉଁ ଅଫିସରଙ୍କ ଅବହେଳା ଯୋଗୁଁ ଏଭଳି ହୋଇଛି ତାର ତଦନ୍ତ ସରକାର କରିବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି।
ସେହିପରି ଏତେ ବର୍ଷ ହେବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ଗାୟବ ଥିବା ବେଳେ ରତ୍ନ ଭଣ୍ଡାରରେ ଥିବା ରତ୍ନ ସୁରକ୍ଷିତ ଅଛି ନା କିଏ ଏହାକୁ ନେଇ ଯାଇଛି ସେ ନେଇ ମଧ୍ୟ ବିଭିନ୍ନ ସଂଗଠନ ପ୍ରଶ୍ନ କରିଛନ୍ତି ? ଏତେ ବର୍ଷ ହେବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ବେଳେ ସରକାର କହିଁକି ଚୁପ ବସିଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ । ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଦୁର୍ମୂଲ୍ୟ ରତ୍ନର ଗଣତି କରି ଭକ୍ତ ସମାଜଙ୍କୁ ମହାପ୍ରଭୁଙ୍କ ରତ୍ନ ସୁରକ୍ଷିତ ଥିବା ଜଣାନ୍ତୁ ବୋଲି ଦାବି ହୋଇଛି।
ସେପଟେ ରତ୍ନ ଭଣ୍ଡାର ଚାବି ହଜିବା କଥା ବିଷୟ ନେଇ କୌଣସି ମତ ଦେଇ ନାହାନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ତେବେ ରତ୍ନ ଭଣ୍ଡାର ରତ୍ନ ଗାୟବ ହୋଇ ଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ବାହାର ରତ୍ନ ଭଣ୍ଡାରର ରତ୍ନ ସବୁ ସୁରକ୍ଷିତ ଥିବା ବେଳେ ଭିତର ରତ୍ନ ଭଣ୍ଡାରରେ ରତ୍ନ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ତେବେ ରତ୍ନ ଭଣ୍ଡାର ର ସ୍ଥିତି ଖରାପ ଥିବା ଓ ଏହାର ମରାମତି ଆବଶ୍ୟକ ଥିବା ପୂର୍ବରୁ ଭଣ୍ଡାର ମେକାପ ଶ୍ରୀମନ୍ଦିର ପ୍ରଶାସନ କୁ ଅବଗତ କରିଛନ୍ତି।
ତେଣୁ ସରକାର ଓ ଏଏସଆଇ ମିଳିତ ଭାବେ ରତ୍ନ ଭଣ୍ଡାର ଖୋଲି ଏହାର ମରାମତି କରିବା ଆବଶ୍ୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ