ପୁରୀ: ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ତିନୋଟି ଯାତ୍ରା ହେଉଛି ଶ୍ରେଷ୍ଠ । ସେଗୁଡ଼ିକ ହେଲା ଦୋଳ ଯାତ୍ରା, ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା । ସେଥିମଧ୍ୟରୁ ବର୍ଷରେ ଦୁଇଥର ମହାପ୍ରଭୁ ରତ୍ନ ବେଦୀ ଛାଡ଼ି ବଡଦାଣ୍ଡରେ ଉଭା ହୁଅନ୍ତି । ପ୍ରଥମେ ସ୍ନାନ ଯାତ୍ରାରେ ଓ ପରେ ଗୁଣ୍ଡିଚା ଯାତ୍ରାରେ । ଗୁଣ୍ଡିଚା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା ।
ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦ ଧ୍ବନି ପୂର୍ବକ 108 କଳସୀ ଜଳରେ ସ୍ନାନ କରାଯାଏ। ଏହାପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ। ବର୍ଷରେ ଥରୁଟିଏ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଜଳ ସ୍ନାନ କରିଥାନ୍ତି। ଅନ୍ୟ ସମୟରେ ତଥା ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଏ ।
ପୁରାଣ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଜୀଉଙ୍କ ଆଦ୍ୟଲୀଳା କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନମଣ୍ଡପ ନ ଥିବା ଯୋଗୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନ ବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚ ସ୍ନାନ ବୋଲି ମଧ୍ୟ ଉଲ୍ଲେଖ ରହିଛି। 108 ସୁନା କଳସ ଜଳରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ। ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରାଯାଇ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି।
ସ୍ନାନଯାତ୍ରା ଦିନ ରତ୍ନ ସିଂହାସନରୁ ଦଇତାପତି ସେବକମାନେ ପହଣ୍ଡି କରି ଶ୍ରୀଜୀଉଙ୍କୁ ସ୍ନାନ ମଣ୍ଡପରେ ଅବସ୍ଥାନ କରାଇଥାନ୍ତି। ପରେ ସ୍ନାନଯାତ୍ରା ନୀତି ଆରମ୍ଭ ହୋଇଥାଏ। ଉତ୍ତର ଦ୍ବାର ନିକଟରେ ଥିବା ସୂବର୍ଣ୍ଣ କୁଅରୁ 108 କଳସ ଜଳ ଅଣାଯାଇ ଏହାକୁ ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରାଯାଏ। ବର୍ଷ ତମାମ ଏହି କୂଅର ଜଳ ବ୍ୟବହାର ହୋଇ ନ ଥାଏ। କେଵଳ ସ୍ନାନ ପୂର୍ଣ୍ଣିମାରେ ଜଳ ଆସି ମହାପ୍ରଭୁଙ୍କୁ ସ୍ନାନ କରାଯାଏ। ଏହି ଅଭିମନ୍ତ୍ରିତ ଜଳରୁ 35 କଳସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, 33 ଗରା ବଳଭଦ୍ରଙ୍କୁ , 22 ଗରା ଦେବୀ ସୁଭଦ୍ରାଙ୍କୁ ଓ 18 ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ।
ସ୍ନାନ ଯାତ୍ରା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ। ଏହି ଗଜାନନ ବେଶ ସହ ଜଡ଼ିତ ଏକ କିମ୍ବଦନ୍ତୀ ମଧ୍ୟ । ଏକଦା ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ । ସେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ । ତେଣୁ ମନେ ମନେ ଭାବିଥିଲେ ଶ୍ରୀମନ୍ଦିରରେ ବ୍ରହ୍ମ ରୂପରେ ଗଣପତି ହିଁ ବିଦ୍ୟମାନ ହୋଇଥିବେ । ମନରେ ଦାରୁ ବ୍ରହ୍ମ ଦର୍ଶନର ଉତ୍କଣ୍ଠା ନେଇ ଶ୍ରୀମନ୍ଦିର ଆଡକୁ ପାଦ ବଢ଼ାଇଲେ ଗଣପତି ଭଟ୍ଟ ।
କିନ୍ତୁ ମହାପ୍ରଭୁଙ୍କ ଦାରୁ ବିଗ୍ରହ ଦେଖି ସେ ସନ୍ତୋଷ ଲାଭ କରି ପାରିଲେ ନାହିଁ । ସେ ମନେ ମନେ ବିଚାର କଲେ ଏ ତ ଗଣପତି ନୁହନ୍ତି । ଏ ଠାକୁର କଦାପି ବ୍ରହ୍ମ ନୁହନ୍ତି ବୋଲି ସେ ଭାବିଲେ । ଏତେ ବାଟରୁ ଧାଇଁ ଆସି ଦାରୁବ୍ରହ୍ମଙ୍କ ଦର୍ଶନ ନପାଇ ସେ ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗ କଲେ । କିଛିବାଟ ଯିବା ପରେ ମୁକ୍ତେଶ୍ବର ଠାରେ ସେ ଥକି ଯାଇ ଘୁମେଇ ପଡ଼ିଲେ । ଏତିକି ବେଳେ କେହି ଜଣେ ତାଙ୍କୁ ମନ ଦୁଃଖ କାହିଁକି ବୋଲି ପଚାରିଲେ, ସେ ବ୍ରହ୍ମରୂପି ଗଜାନନଙ୍କ ଦର୍ଶନ ନପାଇ ତାଙ୍କ ମନ ଦୁଃଖ ବୋଲି କହିଥିଲେ ।
ହଠାତ ନିଦ ଭାଙ୍ଗିବାରୁ କେହି ଜଣେ କହିଲେ, ‘କଣ ଥକି ଗଲ କି, ବଡ଼ଦାଣ୍ଡରେ ତୁମ ଗଣପତି ପରା ଉଭା ହୋଇଛନ୍ତି, ଯାଉନ ମନ ପୂରେଇ ଦେଖି ଆସିବ ।’
ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଗଣପତି ଭଟ୍ଟ । କେହି କେଉଁଠି ନଥିଲେ । ପାଦ ପୁଣି ଲେଉଟିଲା ବଡଦାଣ୍ଡ ଆଡକୁ । ବଡ଼ଦାଣ୍ଡରେ ଜନ ସମୁଦ୍ର ମଧ୍ୟରେ ସେ ଦର୍ଶନ କଲେ ଗଜାନନ ବେଶରେ ସୁଶୋଭିତ ଜଗତ ଠାକୁରଙ୍କୁ । ବିଭୋର ହୋଇ ଉଠିଲା ମନପ୍ରାଣ । ବଡ଼ଦାଣ୍ଡରେ ଲୋଟି ମହାବାହୁଙ୍କୁ ପ୍ରଣୀପାତ ପୂର୍ବକ କ୍ଷମା ପ୍ରାର୍ଥନା କଲେ ଭଟ୍ଟ । ମହାବାହୁଙ୍କ ଗଜ ବେଶ ଦେଖି ଆତ୍ମ ସନ୍ତୋଷରେ ଫେରିଗଲେ ନିଜ ଗାଁ କୁ ।
ଅନ୍ୟ ଏକ କଥା ଅନୁସାରେ ରଥଯାତ୍ରାର ଆଦି ପର୍ବ ହେଉଛି ସ୍ନାନଯାତ୍ରା। ପାର୍ବତୀ ସୂତ ଗଣନାଥ ହେଉଛନ୍ତି ଅଗ୍ରପୂଜ୍ୟ। ତେଣୁ ଆଦ୍ୟ ପର୍ବରେ ଅଗ୍ରପୂଜ୍ୟଙ୍କ ରୂପ ଧାରଣ କରନ୍ତି ମହାପ୍ରଭୁ। ଗଣପତିଙ୍କ ଆବାହନ କରାଯାଏ ଏହି ରୂପ ମାଧ୍ୟମରେ। ମାତା ସୁଭଦ୍ରା କିନ୍ତୁ ଗଜାନନ ବେଶ ହୋଇନଥାନ୍ତି। ତାଙ୍କୁ ଅନ୍ୟ ଆଭୂଷଣରେ ଭୂଷିତ କରାଯାଇଥାଏ। କେତେକ ପଣ୍ଡିତଙ୍କ କହିବାନୁସାରେ ତିନି ଠାକୁର ସ୍ନାନ ମଣ୍ଡପରେ ଯଥାକ୍ରମେ ହରିଦ୍ରା ଗଣପତି, ଖଦିର ଗଣପତି ଓ ମାତଙ୍ଗୀ ରୂପରେ ବିରାଜମାନ କରିଥାନ୍ତି ।
ଗଜାନନ ବେଶ ପରେ ଶ୍ରୀମନ୍ଦିରକୁ ଠାକୁର ମାନେ ଗୋଟି ପହଣ୍ଡିରେ ବିଜେ କରନ୍ତି। ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁର ମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟି ଦିଅଁ ପୂଜା ପାଆନ୍ତି। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରୁ ନେତ୍ରୋତ୍ସବ ଯାଏ 15 ଦିନ ଧରି ଜ୍ବରରେ ଆକ୍ରାନ୍ତ ହୁଅନ୍ତି । ଏହାକୁ ଅଣସର କୁହାଯାଏ । ଏହି 15 ଦିନ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ବ୍ରହ୍ମଗିରିରେ ପୂଜିତ ହେଉଥିବା ପ୍ରଭୁ ଅଲାର ନାଥଙ୍କୁ ଦର୍ଶନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଅଣସରରୁ ମହାପ୍ରଭୁ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।
ସେ ଲୀଳାମୟଙ୍କ କେତେ ଲୀଳା, କେତେ ରୂପରେ ସେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ । ଶ୍ରୀକ୍ଷେତ୍ରରେ ଜଗତ ଠାକୁରଙ୍କୁ ଦର୍ଶନ କରି କୋଟି ଜନ୍ମର ପାତକ କ୍ଷୟ ହୁଏ ବୋଲି ରହିଛି ବିଶ୍ବାସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ