ପୁରୀ: ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା । ଆଉ ଏହି ଏତଲା ଦେଇଛି ପୁରୀର ଶ୍ରୀଜଗନ୍ନାଥ ସେନା । ଲକଡାଉନ ସମୟରେ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି ଶନିବାର ସାରା ଓଡିଶାରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଆୟୋଜନ ଅଭିଯୋଗକୁ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନିଜୀବୀ ପ୍ରିୟ ଦର୍ଶନ ପଟ୍ଟନାୟକ ସିଂହଦ୍ବାର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ।
ରାଜ୍ୟରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟବାସୀଙ୍କୁ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଶନିବାର ସଂଧ୍ୟା 5ଟା 30ରେ ସମସ୍ତ ରାଜ୍ୟବାସୀ ସାମୁହିକ ଗାନ କରିଥିଲେ ବନ୍ଦେ ଉତ୍କଳ ଜନନୀ । ତେବେ ଏହି ସଙ୍ଗୀତ ଗାନ କରିବା ସମୟରେ ଅନେକ ସ୍ଥାନରେ ଲୋକେ ସାମାଜିକ ଦୂରତ୍ବ ମାନିନଥିବା ଦେଖିବାକୁ ମିଳିଥିଲା । ଏନେଇ ତୁରନ୍ତ ମହାମାରୀ ଆକ୍ଟ ରୁଜୁ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।
ଯେତେବେଳେ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼ ନହେବା ପାଇଁ ସରକାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରାରେ କଟକଣା ଲଗାଇପାରୁଛନ୍ତି, ଏହି ସମୟରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ବଡ଼ ଦାଣ୍ଡରେ ଏକାଠି ହୋଇ କାର୍ଯ୍ୟକ୍ରମରେ ସାମିଲ ହେବା କେତେ ଠିକ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି। ସଧାରଣ ଲୋକଙ୍କ ପାଇଁ ସବୁ ନିୟମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଣ ଅଲଗା ନିୟମ ଅଛି କି ବୋଲି ପ୍ରିୟରଞ୍ଜନ ପ୍ରଶ୍ନ କରିଛନ୍ତି। ଏଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ