ପୁରୀ: ଆଜି (ମଙ୍ଗଳବାର) ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ଗରମ ଡାଲି କୁଡୁଆ ଖସି ସେବାୟତ ଆହତ ହୋଇଛନ୍ତି (Servitor of Puri Jagannath temple burnt by hot bhog) । ତାଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଭୋଗମଣ୍ତପ ଗୃହରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିବା ବେଳେ ସୁଆରଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ଗରମ ଡାଲି କୁଡୁଆ ଭାଙ୍ଗି ସୁଆରଙ୍କ ଦେହରେ ପଡିଯିବାରୁ ବାମ ହାତ ଓ ଗୋଡରେ ଫୋଟକା ହୋଇଯାଇଥିବା ଜଣାପଡ଼ିଛି । ଆହତ ସେବାୟତ ହେଉଛନ୍ତି ହରଚଣ୍ଡି ସାହିର ନରସିଂହ ମହାପାତ୍ର ।
ତେବେ ନରସିଂହଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନରସିଂହଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଡ଼ାକ୍ତର ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ