ପୁରୀ: ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ । ରଥଯାତ୍ରା ବନ୍ଦ କରିବାକୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏପଟେ ସୁପ୍ରିମକୋର୍ଟ ରାୟଙ୍କୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ । କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶ୍ରଦ୍ଧାଳୁ ଅତ୍ୟନ୍ତ ମର୍ମାହତ ହୋଇଥିବା ପ୍ରକାଶ କରିଛନ୍ତି । ସୂର୍ଯ୍ୟ ଚନ୍ଦ୍ର ଗତି ରୋକିବା ଅର୍ଥ ଯାହା ମହାପ୍ରଭୁଙ୍କ ରଥଯାତ୍ରା ରୋକିବା ତାହା ବୋଲି ଶ୍ରଦ୍ଧାଳୁ କହିଛନ୍ତି । କଟକଣା ଯୁକ୍ତ ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ସେବାୟତ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଛନ୍ତି । ଏହି ରାୟ ସମସ୍ତଙ୍କୁ ଦୁଃଖିତ କରିଛି ବୋଲି ସେବାୟତ କହିଛନ୍ତି ।
କୋରୋନା ମହାମାରୀକୁ ନେଇ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା । ଦିନକୁ ଦିନ ରାଜ୍ୟରେ କୋରୋନା ବେକାବୁ ହେବାରେ ଲାଗିଥିବା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଯଦି ରଥଯାତ୍ରା ହେବାକୁ ଅନୁମତି ଦେବେ, ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ଜଷ୍ଟିସ ବୋବଡେ କହିଛନ୍ତି । ଏପଟେ କୋର୍ଟଙ୍କ ଏହି ରାୟ ଭକ୍ତ ଭାବାବେଗକୁ କୁଠାରଘାତ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ