ପୁରୀ: ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥ ଗାମୀ ଭବତୁ ମେ... ଆଦିଗୁରୁ ଶଙ୍କରାଚାର୍ଯ୍ୟ ଲେଖି ଦେଇଥିବା ଏହି କେଇପଦ, ଓଡିଆ ଜାତିର ଭାବ ସାଜିଛି । ଏତିକି କହି ଏ ଓଡିଆ ଜାତି ତା ଭଗବାନଙ୍କ ନିକଟରେ ସବୁ ଦାୟିତ୍ବ ସମର୍ପି ଦେଇଛି... ଭକ୍ତଟିଏ ଯେବେ ଗରୁଡ ପଛରୁ ଚକାଆଖିର ଦର୍ଶନ ପାଏ ସ୍ମୃତିପଟରୁ ଅତୀତର ସବୁ ଦୃଶ୍ୟକୁ ଭୁଲିଯାଏ । ହଜେଇ ଦିଏ ନିଜକୁ, ଭିଜେଇ ଦିଏ କାଳିଆର ଖଣ୍ଡୁଆ ପାଟକୁ ।
ଚକାନୟନର ମହିମା ଓ ପରିସୀମା ବ୍ୟାଖ୍ୟାନ କରିବା ସତରେ ଅସାଧ୍ୟ କେବଳ ବନ୍ଦନୀୟ । ଶୂନ୍ୟ ଅନ୍ତରୀକ୍ଷରେ ଚନ୍ଦ୍ରସୂର୍ଯ୍ୟ ତୁଲ୍ୟ ବର୍ତ୍ତୁଳାକାର ସେ ଆଖି ହଳକ ବିଶ୍ବ ବ୍ରହ୍ମାଣ୍ଡ ପରିବାପ୍ତ । ସମସ୍ତ ମତ, ତତ୍ତ୍ବ ଦର୍ଶନ ତାଙ୍କଠି ଦ୍ରବୀଭୂତ... ଚକାନୟନଙ୍କ ସେ କିମିଆ ନେତ୍ର ଉଦ୍ଦେଶ୍ୟରେ ଏ ନେତ୍ରୋତ୍ସବର ଆୟୋଜନ । ଅଣସର ପିଣ୍ଡିରୁ ବାହାରିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ।
ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ ନେତ୍ରୋତ୍ସବ ସାମଗ୍ରୀ ଆଣି ମହାପ୍ରଭୁଙ୍କ ନେତ୍ରକୁ ଚିତ୍ରଣ କରନ୍ତି । ନୀଳାଦ୍ରି ଗ୍ରନ୍ଥ ଅନୁସାରେ ଏହିସମୟରେ ନାନା ବାଦ୍ୟ ଧ୍ବନିରେ ପୂଜକମାନେ ‘ତଚ୍ଚକ୍ଷୁ’ ମନ୍ତ୍ରରେ ଠାକୁରମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରନ୍ତି । ତଚ୍ଚକ୍ଷୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର, ଯାହାର ଅର୍ଥ ‘‘ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ବରୂପ । ଏହି ନେତ୍ର ଦେବତାମାନଙ୍କର ହିତକାରୀ । ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ବାରା ଆମେ ଶହେ ବର୍ଷ ଦେଖିବା ପାଇଁ ସକ୍ଷମ ହେଉ ।’’
ନୀତିକାନ୍ତି ଅନୁସାରେ ଏହି ନେତ୍ର ଉନ୍ମୀଲନ ପରେ ଶ୍ରୀଜିଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ମହାପ୍ରଭୁ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଖଡିଲାଗି ଏବଂ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ବଳ ଦିଶୁଥିବାରୁ ଏହାକୁ ନବଯୌବନ ଦର୍ଶନ କୁହାଯାଏ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କର ଏହି ଦର୍ଶନ ଅନୁଷ୍ଠିତ ହୋଇଥାଏ । ବର୍ଷକୁ ଏଗାର ମାସ ମହାପ୍ରଭୁ ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉ ଥିବାବେଳେ ଅଣସର ପିଣ୍ଡିରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦିଅନ୍ତି ।
ଆଉ ଏହି ଦର୍ଶନ ପାଇଁ ଭକ୍ତ ସାରା ବର୍ଷ ଅପେକ୍ଷା କରି ରହିଥାଏ । ତେବେ ନବଯୌବନ ଦର୍ଶନ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ନିଆଯାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇଥିବା ତିନି ଗୋଟି ରଥକୁ ରଥ ଖଳାରୁ ସିଂହ ଦ୍ବାର ସମ୍ମୁଖକୁ ଅଣାଯାଇଥାଏ । ଯାହା ପରେ ଆଷାଢ଼ ଦ୍ବାଦଶୀ ତିଥିରେ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ଯାତ୍ରା କରନ୍ତି ମହାପ୍ରଭୁ । କୁହାଯାଏ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଉତ୍ତମ ଗତି ପ୍ରାପ୍ତ କରନ୍ତି ।
ଇଟିଭି ଭାରତ, ପୁରୀ