ପୁରୀ: କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ନେଇ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ବିରୋଧ । ଶ୍ରୀମନ୍ଦିର ଯେଭଳି ଢଙ୍ଗରେ ବନ୍ଦ କରାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ତୁରନ୍ତ ଖୋଲିବା ଦାବିରେ ଶ୍ରୀମନ୍ଦିର ସମ୍ମୁଖରେ ଧାରଣା ଦେଇଛି ଶ୍ରୀଜଗନ୍ନାଥ ସେନା।
ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ କେବଳ ଛତିଶା ନିଯୋଗର ମତାମତ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ନିଷ୍ପତ୍ତି। ଛତିଶା ନିଯୋଗ କେଵଳ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପର୍କରେ ମତାମତ ଦେବାର ନିୟମ ରହିଛି। ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ତଥା ଶ୍ରୀମନ୍ଦିର ପରିଚାଳନା ନେଇ କୌଣସି ନିଷ୍ପତ୍ତି ନେବାର କ୍ଷମତା ଛତିଶା ନିଯୋଗର ନାହିଁ। ଏପରିକି ଶ୍ରୀମନ୍ଦିର ବନ୍ଦକୁ ନେଇ ପୂର୍ବରୁ ଗଜପତି ମହାରାଜା , ଶଙ୍କରାଚାର୍ଯ୍ୟଙ୍କ ମତାମତ ନ ନିଆଯାଇ ପ୍ରଶାସନିକ ଅଧିକାରୀ ମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବି ଶ୍ରୀମନ୍ଦିରକୁ ବନ୍ଦ କରିଛନ୍ତି। ଯାହା ଫଳରେ କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଏବେ ବଞ୍ଚିତ । ଭାରତ କୌଣସି ସ୍ଥାନରେ ଏ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ହୋଇ ନ ଥିବା ବେଳେ କୋଭିଡ ସଂକ୍ରମଣ ଆଳରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କାହିଁକି କରାଗଲା ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ସେହିପରି ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କ ଆଗମନ ହେତୁ ପୁରୀରେ ସେବାୟତଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ , ଉଠା ଦୋକାନୀ , ରିକ୍ସା , ଅଟୋ , ଆଦି ବିଭିନ୍ନ ବ୍ୟବସାୟୀ ରୋଜଗାର କରି ନିଜ ଘର ପ୍ରତିପୋଷଣ କରୁଛନ୍ତି।
ରାଜ୍ୟ ସରକାର କୋଭିଡର ତୃତୀୟ ଲହର ସଂକ୍ରମଣ ଏତେ କ୍ଷତିକାରକ ନୁହେଁ ବୋଲି ମତ ଦେଉଥିବାବେଳେ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟ ସମେତ ବଜାର ଘାଟ ଖୁଲମଖୁଲା ଚାଲୁଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରି ଶ୍ରୀମନ୍ଦିର ନ ଖୋଲିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ