ପୁରୀ : ପୁରୀ ଟାଉନ ଥାନା ଅଞ୍ଚଳରେ 5 ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ କଲା ପୋଲିସ । ପୁରୀ ଭୁବନେଶ୍ୱର ସୀମାନ୍ତ ଅଞ୍ଚଳରୁ ପୋଲିସ ଅଭିଯୁକ୍ତକୁ ଗିରଫ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ SP କେ. ବିଶାଳ ସିଂ । ଏହି ଘଟଣାକୁ ନେଇ 20 ଦିନ ମଧ୍ୟରେ ଚାର୍ଜ ସିଟ ଦାଖଲ କରାଯିବ । ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଯେଭଳି କୋର୍ଟ ନେଇ ପାରିବେ, ତାହା ପୋଲିସର ପ୍ରାଥମିକ କାର୍ଯ୍ୟ ହେବ ବୋଲି ପୁରୀ ଏସପି କହିଛନ୍ତି ।
ଅଭିଯୁକ୍ତ ମହେଶ ଜଣେ ଗାଡି ଡ୍ରାଇଭର ହୋଇଥିବାବେଳେ ସେ ଅଧିକାଂଶ ବେଳେ ନିଶା ସେବନ କରିଥାଏ । ପୂର୍ବରୁ ତା ନାଁରେ ମଧ୍ୟ କିଛି ମାମଲା ଥାନାରେ ରହିଛି । ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ପରେ ତାକୁ କୋର୍ଟ ଚାଲାଣ କରାଯିବ । ସେହିପରି ସରକାରଙ୍କ ନିୟମ ଅନୁଯାୟୀ ପୀଡିତାଙ୍କୁ ଯେଭଳି ଆର୍ଥିକ ସାହାଯ୍ୟ ମିଳିପାରିବ, ସେ ନେଇ ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ ହେଉଥିବା କହିଛନ୍ତି ପୁରୀ SP ।
ସେପଟେ ପୁରୀ ସହରରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ଅପରାଧ ବି ବୃଦ୍ଧି ହେଉଛି । ପୁରୀରେ ବ୍ରାଉନସୁଗାର ବ୍ୟବସାୟ ଉପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ କରାଯାଇ ନିରନ୍ତର ଚଢ଼ାଉ ଜାରି ରହିଛି । ଅନ୍ୟ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜିଲ୍ଲାକୁ ଅପରାଧ ମୁକ୍ତ କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ସୂଚନାଅନୁଯାୟୀ ଗତ ଜାନୁଆରୀ ୨୪ ତାରିଖ ଦିନ ଟାଉନ ଥାନା ଅଞ୍ଚଳରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ