ପୁରୀ: ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ତିନି ମାସର ଦରମା ନ ପାଇଁ ଧାରଣ ଦେଇଛନ୍ତି ପୁରୀ ରେଳୱେ ଷ୍ଟେସନର କର୍ମଚାରୀ । ତୁରନ୍ତ ଦରମା ପ୍ରଦାନ ନ କଲେ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି । ସେପଟେ, କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରେଳୱେ ଷ୍ଟେସନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।
ପୁରୀ ରେଳ ଷ୍ଟେସନ ସଫେଇ କର୍ମଚାରୀଙ୍କ ଉପରେ ଦେବାଳିଆ ୟେସ ବ୍ୟାଙ୍କର ପ୍ରଭାବ । ମାଷ୍ଟର କ୍ଲିନିକ ଲିମିଟେଡ ନାମକ ଏକ ସଂସ୍ଥା ୟେସ ବ୍ୟାଙ୍କରେ ଆକାଉଣ୍ଟ ଥିବା ଦର୍ଶାଇ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିଛି କହିଛି । ବ୍ୟାଙ୍କରେ ଦେବାଳିଆ ସ୍ଥିତି ଆଳ ଦେଖାଇ ଦରମା ପ୍ରଦାନରେ ବିଳମ୍ବରେ ଘଟୁଥିବା ନୋଟିସ ଦେଇଥିଲା କର୍ମାନୀ । ପୂର୍ବରୁ କମ୍ପାନୀ ଅଧିକାରୀ ଓ ସଙ୍ଘ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ପ୍ରତ୍ୟେକ ମାସ 7ରୁ 10 ତାରିଖ ମଧ୍ୟରେ ଦରମା ପ୍ରଦାନର ବ୍ୟବସ୍ଥା ହୋଇଥିଲା ।
ନୋଟିସକୁ ବିରୋଧ କରି 205 ଜଣ ସଫେଇ କର୍ମଚାରୀ ଦୁଇଦିନ ଧରି କାର୍ଯ୍ୟ ବନ୍ଦ କରିବାରୁ ପୁରୀ ରେଳଷ୍ଟେସନର ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ତେବେ ଏନେଇ ରେଲୱେ କର୍ତ୍ତୃପକ୍ଷ କିମ୍ବା ସଫେଇ ସଂସ୍ଥା କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇ ନାହାଁନ୍ତି । ତେବେ ତୁରନ୍ତ ଦରମା ନମିଳିଲେ ପୁରୀ ଭଳି ଗୁରୁତ୍ବପୂର୍ଣ୍ଣ ରେଲୱେ ଷ୍ଟେସନରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବାର ଆଶଙ୍କା ଦେଖାଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ