ପୁରୀ: ନାବାଳିକାକୁ ପୁରୀରେ ଗଣଦୁଷ୍କର୍ମ ଘଟଣାରେ ଗିରଫ ସଂଖ୍ୟା 6ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ତା’ ସହଯୋଗୀ ରାଜେଶ ସେଠି ଓ ରାମଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଆଜି ଆଉ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବୁଲୁ ବାରିକ, ରଞ୍ଜିତ କୁମାର ପରିଡା ଓ ତାଙ୍କ ସ୍ତ୍ରୀ ସୌମ୍ୟା ଶେଫାଳୀ ପରିଡା ।
ସୂଚନା ଅନୁସାରେ, ବୁଲୁ ଵାରିକ ସିଆରପିଏଫ ଯବାନ ହୋଇଥିବା ବେଳେ ରଞ୍ଜିତ ଜଣେ ସାମ୍ବାଦିକ । ରଞ୍ଜିତ କୁମାର ପରିଡା ନାମରେ ପୂର୍ବରୁ ଭୁବନେଶ୍ବର ମହିଳା ଥାନାରେ ମାମଲା ରୁଜୁ ହୋଇଛି । ରଞ୍ଜିତ ଓ ତା ସ୍ତ୍ରୀ ଏହି ଘଟଣାରେ ସଂପୃକ୍ତ ବୋଲି ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ପୁରୀ ଏସପିଙ୍କ ସୂଚନା ଅନୁସାରେ ଘଟଣା ଦିନ ରଞ୍ଜିତ ଓ ତାଙ୍କ ପତ୍ନୀ ନାବାଳିକାକୁ ଭୁବନେଶ୍ବରରୁ ପୁରୀ ଆଣିବା ସହ ଗିରଫ ଜିତେନ୍ଦ୍ର ସେଠୀ ନିକଟରେ ଛାଡ଼ିଥିଲେ । ତେବେ ରଞ୍ଜିତ ଓ ତାଙ୍କ ପତ୍ନୀ ବିଭିନ୍ନ ସମୟରେ ଗରିବ ଶ୍ରେଣୀର ନାବାଳିକାଙ୍କୁ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରଖିଥାନ୍ତି । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ଉଭୟ ପତୀପତ୍ନୀ ରଞ୍ଜିତ ଓ ଶେଫାଳୀ ଭୁବନେଶ୍ବରରୁ ଆଣିଥିବା ହେତୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ