ପୁରୀ: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଗୋଡରେ ପୋଲିସ ବେଡି ପକାଇବାକୁ ରାଜ୍ୟବ୍ୟାପୀ ବିରୋଧ କରାଯାଉଛି । ଏପରିକି ପୋଲିସର ଏହି ଜୁଲୁମକୁ ମଧ୍ୟ ଜାତୀୟ ଗଣମାଧ୍ୟମରେ ତୀବ୍ର ନିନ୍ଦା ହେଉଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୁରୀ ଜିଲ୍ଲା ସାମ୍ୱାଦିକ ସଂଗଠନ ଆଜି(ଶୁକ୍ରବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତୁରନ୍ତ ନୀଳଗିରି ଥାନା ଅଧିକାରୀଙ୍କୁ ବହିଷ୍କାର ଦାବି ନେଇ ପୁରୀ ଜର୍ଣ୍ଣାଲିଷ୍ଟ କେୟାର ଏବଂ ଜିଲ୍ଲାର ସମସ୍ତ ସାମ୍ୱାଦିକ ଆଜି ପୁରୀ ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ଡିଜି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜିଲ୍ଲାର ସମସ୍ତ ସାମ୍ବାଦିକ ଦାବି କରିଛନ୍ତି । ଏଥିସହ ପୋଲିସ ଆଇଜି ନରସିଂହ ଭୋଳଙ୍କୁ ସାମ୍ବାଦିକ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ! ମେଡିକାଲରେ ବେଡି ପକାଇଲା ପୋଲିସ
ସେପଟେ ପୋଲିସ ଆଇଜି ନରସିଂହ ଭୋଳ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ମାମଲାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି । ତଦନ୍ତ ପରେ ଯେଉଁ ପୋଲିସ ଅଧିକାରୀ ଦାୟୀ ରହିବେ ଉକ୍ତ ଅଫିସର ଏବଂ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଆଇଜି କହିଛନ୍ତି । ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରିର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଏକ ସାମାନ୍ୟ ବଚସା ଘଟଣାକୁ ନେଇ ଗିରଫ କରିଥିଲା ।
ସେଠାରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ । ଏହାପରେ ଡାକ୍ତରଖାନାରେ ମଧ୍ୟ ପୋଲିସ ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇ ସଶସ୍ତ୍ର ପୋଲିସ ମୁତୟନ ରଖିଥିଲା । ଯାହାକୁ ନେଇ ଦେଶବ୍ୟପୀ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ