ପୁରୀ: ଶ୍ରୀକ୍ଷେତ୍ର ଅଟୋ ଚାଳକ ମହାସଂଘ ପକ୍ଷରୁ ଆଜି(ସୋମବାର) ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି । ପୁରୀ ପରିବହନ ବିଭାଗ(RTO) ପକ୍ଷରୁ ନୂତନ ଅଟୋଗୁଡ଼ିକୁ ପରମିଟ ଦେଉ ନାହାଁନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଟୋ କିଣି ଦୁଇ ପଇସା ରୋଜଗାର ଆଶା କୁରଥିବା ବ୍ୟକ୍ତିମାନେ ଏବେ ହତାଶ ହୋଇ ପଡ଼ିଛନ୍ତି । ଏହାକୁ ନେଇ ପୁରୀ ଅଟୋ ଚାଳକ ମହାସଂଘ ପକ୍ଷରୁ ଏହି ପ୍ରତିବାଦ ସଭା କରାଯାଇଛି।
ଜିଲ୍ଲାରେ ଯେଉଁ ଅଟୋଗୁଡି଼କର ପରମିଟ ଶେଷ ହୋଇ ଯାଉଛି ସେଗୁଡ଼ିକୁ ମଧ୍ୟ ପୁରୀ ପରିବହନ ବିଭାଗ ଧ୍ୟାନ ଦେଉନାହିଁ । ବିଶେଷ କରି 5ରୁ 7 ବର୍ଷର ପୁରୁଣା ଅଟୋକୁ ପରମିଟ ଦେଉନାହିଁ ପୁରୀ ପରିବହନ ବିଭାଗ । ଅଟୋକୁ ପରମିଟ ମିଳୁନଥିବାରୁ ଗାଡ଼ି କାଗଜ ପତ୍ର ଯାଞ୍ଚ ନାଁରେ ପୋଲିସ ପକ୍ଷରୁ ଫାଇନ କରାଯିବା ଆଶଙ୍କା ରହିଛି। ନିରୀହ ଅଟୋଚାଳକଙ୍କ ଉପରେ ପୁରୀ ଆରଟିଓ ଦାଉ ସାଧୁଥିବା ଅଭିଯୋଗ କରିଛି ଅଟୋ ଚାଳକ ମହାସଂଘ। ଫଳରେ ଜିଲ୍ଲାରେ ଅଟୋ ଚାଳକଙ୍କ ଜୀବନ ଜୀବିକା ଉଜୁଡିବା ଆଶଙ୍କା ଦେଖାଦେଇଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଅଟୋଚାଳକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କୋଭିଡ ସମୟରେ ଅଟୋ ଚଳାଚଳ ଉପରେ ବ୍ୟାନ ପରେ ହଜାର ହଜାର ଅଟୋ ଚାଳକ ଆର୍ଥିକ ଅନଟନର ଶିକାର ହୋଇଛନ୍ତି। ସରକାର କୋଭିଡ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଦେଇଥିବା ବେଳେ ଅଟୋଚାଳକଙ୍କୁ କୌଣସି ଆର୍ଥିକ ସାହାଯ୍ୟ ଦେଇ ନାହାଁନ୍ତି । ଅଟୋଚାଳକଙ୍କ ପ୍ରତି ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ବିରୋଧରେ ପ୍ରତିବାଦ ସଭା କରିଛି ଅଟୋଚାଳକ ମହାସଂଘ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ