ପୁରୀ: ପୋଲିସର ମୁଣ୍ଡ ବିନ୍ଧା ସାଜିଥିବା ଜାତୀୟ ରାଜପଥ ଲୁଟେରା ଗିରଫ । ପୁରୀ ଜିଲ୍ଲା ପିପିଲି ବାଇପାସ (Puri District Pipili Bypass) ଜାତୀୟ ରାଜପଥ ବାରମ୍ବାର ଲୁଟ ଘଟଣାରେ ପୋଲିସର ମୁଣ୍ଡ ବିନ୍ଧା କାରଣ ସାଜିଥିବା ଡକାୟତ ଗ୍ୟାଙ୍ଗ କୁ ଧରିବାରେ ପିପିଲି ପୋଲିସ ସଫଳ ହୋଇଛି।
ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ ଜଣକୁ ଗିରଫ କରିଛି ପିପିଲି ପୋଲିସ। ମାରଣାସ୍ତ୍ର ସହିତ ଲୁଟ ଜିନିଷକୁ ଜବତ କରିଥିବା ପିପିଲି ଥାନା ପୋଲିସ ଆଜି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି SDPO ଦେବଦତ୍ତ ବରାଳ ।
ଗିରଫ ସମସ୍ତ ଅପରାଧି ହେଲେ ମହମ୍ମଦ ଅରମାନ ଓରଫ ଅରମାନ ସା (୨୦), ରୁଦ୍ରନାରାୟଣ ସ୍ବାଇଁ ଓରଫ ବାବୁ(୧୯) ଓ ଆବାସ ସା ଓରଫ ଅବୁ (୨୩)କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ମାନେ ପେଷାଦାର ଅପରାଧୀ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅରମାନ ନାମରେ ପୂର୍ବରୁ ପିପିଲି, ଡେଲାଙ୍ଗ ଓ କାକଟପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।
SDPO ଦେବଦତ୍ତ ବରାଳଙ୍କ ସୂଚନା ଅନୁସାରେ ଗତ 27 ତାରିଖରେ ୬ ଜଣ ଦୁର୍ବୁତ୍ତ ୨ ଟି ମୋଟର ସାଇକେଲରେ ଆସି ପିପିଲି ୩୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଓ ଭୋଗୁଆବାଙ୍କରୁ ୨ ଜଣ ବ୍ୟକ୍ତିଙ୍କ ଠାରୁ ଛୁରୀ ଦେଖାଇ ୨ ଟି ଦାମୀ ମୋବାଇଲ ଫୋନ ୨ ହଜାର ଟଙ୍କା ଓ ଗୋଟିଏ ରୁପା ବ୍ରେସଲେଟ ଲୁଟି ନେଇଥିଲେ।
ପିପିଲି ଥାନାରେ ଅଭିଯୋଗ ହେବା ପରେ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପରେ ଅପରାଧି ମାନଙ୍କୁ ଧରିବା ପାଇଁ ପୁରୀ ଏସପି କେ.ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପିପିଲି SDPO ଦେବଦତ୍ତ ବରାଳ ଓ ଥାନାଧିକାରୀ ଅଭିମନ୍ୟୁ ନାୟକଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଜାତୀୟ ରାଜପଥ ଲୁଟ ଘଟଣାରେ ତଦନ୍ତ କରାଯାଇଥିଲା ।
ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟରେ ସଂପୃକ୍ତ ଥିବା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ୬ ଟି ମୋବାଇଲ, ଗୋଟିଏ ରୁପା ବ୍ରେସଲେଟ ଓ ଡକାୟତି ରେ ବ୍ୟବହୃତ ଦୁଇଟି ଛୁରୀ ଓ ପଲସର ଗାଡିକୁ ଜବତ କରାଯାଇଛି।
ସେପଟେ SDPO ଦେବଦତ୍ତ ବରାଳ କହିଛନ୍ତି ଫେରାର ଥିବା ଅନ୍ୟ ଅପରାଧୀ ମାନଙ୍କୁ ଧରିବା ପାଇଁ ପିପିଲି ପୋଲିସର ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା ସମସ୍ତ ଢାବା ହୋଟେଲ ଉପରେ ନଜର ରଖିବା ସହିତ ପୋଲିସ ପ୍ରାଟୋଲିଂକୁ କଡାକଡି କରାଯାଉଥିବା SDPO କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ