ପୁରୀ: ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ଆଉ ଟିକେ ଉନ୍ନତ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଆଖପାଖ ଅଞ୍ଚଳରେ ଅନେକ ପର୍ଯ୍ୟଟନ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ସେ ଦୃଷ୍ଟିରୁ ପୁରୀରେ ଏକ ବିମାନବନ୍ଦର କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରି ଆସୁଥିଲେ । ଜିଲ୍ଲାରେ ଗ୍ରୀନ ଫିଲଡ଼ ଏୟାରପୋର୍ଟ ହେବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି।
ପୁରୀରେ ନିର୍ମାଣ ହେବ ଗ୍ରୀନ ଫିଲଡ଼ ଏୟାରପୋର୍ଟ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିଆଦିତ୍ୟ ସିନ୍ଧିଆ କହିବା ପରେ ଏହା ସ୍ପଷ୍ଟ ହୋଇଛି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ଗ୍ରୀନ ସିଗନାଲ ପରେ ରାଜ୍ୟ ସରକାର ଏହାକୁ ସ୍ବାଗତ କରିଛନ୍ତି । ପୁରୀ ଏକ ବିଶ୍ବ ଐତିହ୍ୟ ସହର । ଏହାର ଆଖପାଖରେ ଅନେକ ପ୍ରାଚୀନ ସ୍ଥାନ, ପର୍ଯ୍ୟଟନ ସ୍ଥଳୀ ରହିଛି । ଏଣୁ ପୁରୀରେ ଏକ ଆନ୍ତର୍ଜାତିକ ବିମାନବନ୍ଦରର ଆବଶ୍ୟକ ଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରି କେନ୍ଦ୍ର ସରକାରଙ୍କୁ ଚିଠି ଦେଇ ଅବଗତ କରିଥିବା କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା (minister pratap jena on greenfield airport) । କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ ବୋଲି କହିଛନ୍ତି ପ୍ରତାପ । କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ ପରେ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଆଇନି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଏହାମଧ୍ୟ ପଢନ୍ତୁ: Greenfield airport in Puri: କେବଳ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କହିଲେ Scindia
ସେହିପରି ପୁରୀ ବିକାଶ ପାଇଁ ବିମାନବନ୍ଦର ଏକ ପ୍ରମୁଖ ଭୂମିକା ନେବ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି । ଜିଲ୍ଲାର ବିକାଶ ପାଇଁ ଆଗରୁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଗ୍ରୀନ ଫିଲଡ଼ ଏୟାରପୋର୍ଟ କରିବା ନିଷ୍ପତ୍ତି ଏକ ଉନ୍ନତ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ