ପୁରୀ : ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ କଟକଣା ମଧ୍ୟରେ ସେ ମଧ୍ୟ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ କାମନା କରିଥିଲେ। ଏହାସହ ଦେଶରୁ କୋରୋନା ମୁକ୍ତ ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେବେ ବର୍ତ୍ତମାନର ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।
ଏହାସହ ସାଧାରଣ ଭକ୍ତମାନଙ୍କ ନିମନ୍ତେ କୋଭିଡ ନେଗେଟିଭ ରିପୋର୍ଟ ପ୍ରସ୍ତାବ ଉପରେ କୋହଳ କରିବା ନେଇ ବିଚାର କରି ପଦକ୍ଷେପ ନେବାକୁ ମତ ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀରେ ବିମାନବନ୍ଦର ନିର୍ମାଣ ନେଇ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି । ପୁରୀରେ ବିମାନବନ୍ଦର ହୋଇପାରିଲେ ଶ୍ରୀକ୍ଷେତ୍ରର ବିକାଶ ହେବା ସହ ପର୍ଯ୍ୟଟକମାନେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହଯୋଗ କରାଯିବ ବୋଲି ସେ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ