ପୁରୀ : କୋଭିଡ କଟକଣା ଭିତରେ ଚଳିତ ବର୍ଷ ପୁରୀ ଲୋକନାଥ ପୀଠରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା। ଲୋକନାଥ ପୀଠରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ପର୍ଵ। ପଙ୍କଉଦ୍ଧାର ଏକାଦଶୀ ଠାରୁ ଆରମ୍ଭ ହୋଇ ଜାଗର ପର୍ଯ୍ୟନ୍ତ ଏହା ଚାଲିଥାଏ। ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ତେଣୁ ଚଳିତ ବର୍ଷ କୋଭିଡ କଟକଣା ଭିତରେ କରାଯାଇଛି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା। ଏଥିପାଇଁ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଛି ପ୍ରସ୍ତୁତି ।
ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଥିବାବେଳେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି । ସେପଟେ ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥା ଏବଂ ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜାଗର ପଡିଆରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ତେବେ ଆଜି(ବୁଧବାର)ରାତି ୧୨ ଟା ୩୦ରେ ଦ୍ଵାର ଫିଟିବ ଏବଂ ଭୋର ୧ ଟାରୁ ୪ଟା ମଧ୍ୟରେ ମଙ୍ଗଳଆରତୀ, ଅବକାଶ ସୂର୍ଯ୍ୟ ପୂଜା ପରେ ବିଭିନ୍ନ ନୀତିକାନ୍ତି ବଢି ସାଧାରଣ ଦର୍ଶନ ଆରମ୍ଭ କରାଯିବ। ଭୋର ୪ ଟାରୁ ରାତ୍ର ୧୦ ଟାରେ ସର୍ବସାଧାରଣ ଦର୍ଶନ ଓ ରାତ୍ର ୨ ଟାରୁ ୩ ଟା ହରିହର ଭେଟ ଓ ଭୋର ୪ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି। ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଶାସନକୁ ପ୍ରତିଶୃତି ଦେଇଛନ୍ତି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ