ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିଳାଦ୍ରି ମହୋଦୟ ନୀତି ଆଜି(ସୋମବାର) ଅନୁଷ୍ଠିତ ହେଉଛି । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଶୀଜିଉଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ ।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ନିଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିବା ବେଳେ ସମୁଦ୍ରରେ ଏକ ଅଦ୍ଭୂତ ଦାରୁ ଭାସି ଭାସି ଆସୁଥିବାର ଦେଖିଥିଲେ । ଲହଡିର ବିପରିତ ଦିଗରୁ ଭାସି ଆସୁଥିବା ଦେଖି ସମସ୍ତେ ବିସ୍ମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମହାଦାରୁଙ୍କ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଆର୍ବିଭାବ ଦିନ ଅଭିଷେକ କରାଯାଇଥିଲା । ସେହି ବିଧି ପରମ୍ପରା ଅନୁସାରେ ଏହି ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ବ ଦିନ(ସପ୍ତମୀ)ରେ ସନ୍ଧ୍ୟାଧୂପ ପରେ ଗରାବଡୁ ସେବକମାନେ ତମ୍ବା ଗଡୁରେ ଆଣିଥିବା ୧୦୮ ଗଡୁ ଜଳକୁ ଅଧିବାସ କରାଯାଇ ଭୋଗ ମଣ୍ଡପ ଘରେ ରଖାଯଇଥାଏ ।
ଅଷ୍ଟମୀ ତିଥି ଦିନ ଅପରାହ୍ଣ ରେ ଉକ୍ତ ଜଳରେ ଶ୍ରୀବିଗ୍ରହଙ୍କ ଜଳବିଜେ ଓ ପୂଜା କରାଯାଇ ନୂଆ ଲୁଗା ଲାଗି କରାଯାଇଥାଏ । ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇ ଚନ୍ଦନ ଠାକୁର ବିମାନକୁ ବିଜେ କରିଥାନ୍ତି । ବିମାନ ଉଠିଲାପରେ ଭୋଗମଣ୍ଡପ ଶେଷ ହୋଇ ଶାହାଣମେଳା ଅନୁଷ୍ଠିତ ହୋଇଥାଏ । ଏହାପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ ନୀତି କରାଯିବା ପରେ ରାତିରେ ଠାକୁରମାନଙ୍କୁ ଚନ୍ଦନ ଲାଗି କରାଜାଇ ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ତିନି ଠାକୁରଙ୍କ ପହୁଡ଼ ନିତି ଅନୁଷ୍ଠିତ ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ