ପୁରୀ: ଉତ୍କର୍ଷତାର କ୍ଷେତ୍ର ଆମ ଉତ୍କଳ । ସଂସ୍କୃତି, ପରମ୍ପରା ଆଉ ଆଧ୍ୟାତ୍ମିକ ଭାବନାର ସ୍ବର୍ଣ୍ଣକ୍ଷେତ୍ର । ଏଠାରେ ବିଶ୍ବାସରେ ବଞ୍ଚେ ଜୀବନ । ଉତ୍କଳରେ ଶକ୍ତି ପୂଜାର ମାହାତ୍ମ୍ୟ ପୁରାଣରେ ବର୍ଣ୍ଣିତ । କିମ୍ବଦନ୍ତୀ ଅନୁସାରେ ମାତା ସତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଯେଉଁ ଯେଉଁ ସ୍ଥାନରେ ପଡିଛି ସେସବୁ ସ୍ଥାନ ଗୋଟିଏ ଗୋଟିଏ ଶକ୍ତିପୀଠ । ଏହିସବୁ ଶକ୍ତିପୀଠରେ ଦେବୀମାନେ କେଉଁଠି ଦ୍ବିଭୁଜା ତ କେଉଁଠି ଅଷ୍ଟଭୁଜା, ପୁଣି କେଉଁଠି ବୈଷ୍ଣବୀ ତ ଆଉ କେଉଁଠି କାତ୍ୟାୟନୀ ରୂପରେ ପୂଜା ପାଇ ଆସୁଛନ୍ତି । ଏହି ଦେବୀମାନଙ୍କ ମଧ୍ୟରୁ ଶ୍ରୀକ୍ଷେତ୍ରର ମା' ବିମଳା ଅନ୍ୟତମ ।
ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରରେ ମାତା ସତୀଙ୍କ ପାଦ ଏବଂ ନାଭି ଅଂଶ ପଡ଼ିଥିଲା ବୋଲି ବିଶ୍ବାସ ରହିଛି । ଏହା ମଧ୍ୟ ଏକ ପ୍ରସିଦ୍ଧ ଭୈରବ ପୀଠ । ଏଠାରେ ମାଆ ବିମଳା ଭୈରବୀ ଏବଂ ସ୍ବୟଂ ମହାପ୍ରଭୁ ଜଗନ୍ନାଥ ଭୈରବ ରୂପେ ପୂଜା ପାଉଛନ୍ତି । ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ପୀଠାଧିଶ୍ବରୀ ମା’ ବିମଳାଙ୍କୁ ସମର୍ପଣ କରାଯିବା ପରେ ହିଁ ଦିବ୍ୟ ମହାପ୍ରସାଦରେ ପରିଣତ ହୋଇଥାଏ । ବିମଳା ଶକ୍ତି ସ୍ବରୂପିଣୀ ହେଲେ ମଧ୍ୟ ପରମ ବୈଷ୍ଣବୀ ।
ନାଭିକ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢ଼ା ରୋହିଣୀ କୁଣ୍ତର ପଶ୍ଚିମକୁ ଅବସ୍ଥିତ ମା’ ବିମଳାଙ୍କ ମନ୍ଦିର । ଆଶ୍ବିନ ମାସରେ ଷୋଡ଼ଶ ବିଧିରେ ମା'ଙ୍କ ପୂଜାର୍ଚ୍ଚନା ହୋଇଥାଏ । ବର୍ଷକ ବାର ମାସ ଏଠାରେ ମା' ବିମଳା ପରମ ବୈଷ୍ଣବୀ ରୂପରେ ପୂଜା ପାଉଥିବା ବେଳେ ଦୁର୍ଗାପୂଜା ସମୟରେ ଭେରବୀ ରୂପେ ପୂଜା ପାଉଛନ୍ତି । ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ଵରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ । ଏହି ନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲା ପରେ ହୋଇଥାଏ ।
ଶ୍ରୀମନ୍ଦିର ଚୂନରା ସେବାୟତଙ୍କ ମତ ଅନୁସାରେ ଭକ୍ତ ରଖିଥିବା ମାନସିକ ବଳି ମନ୍ଦିର ମଧ୍ୟକୁ ପ୍ରବେଶ ହୁଏନାହିଁ । ତାହା କାକୁଡିଖାଇଙ୍କ ନିକଟରେ ଲାଗି ହୋଇଥାଏ । ଏହି ନୀତି ବେଳେ କେବଳ ପୂଜକଙ୍କ ଛଡା ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଦେବୀ ବିମଳା ଏହି ଷୋହଳଦିନ ଷୋଡଶ ଉପଚାର ପୂଜା ବେଳେ ମହିଳାମାନଙ୍କ ବିମଳା ଦେବୀଙ୍କ ମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଥାଏ ।
ଷୋଡଶ ପୂଜାର ପ୍ରଥମ ଓ ଶେଷ ଚାରିଦିନ ଛାଡ଼ି ପ୍ରତ୍ୟେକ ଦିନ ମା' ବିମଳାଙ୍କୁ ବିଭିନ୍ନ ବେଶ କରାଯାଏ । ପୂଜାର ଦ୍ୱିତୀୟ ଦିନ ଠାରୁ ୧୨ ଦିନ ପର୍ଯ୍ୟନ୍ତ ଯଥାକ୍ରମେ ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ୱରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସିଂହବାହିନୀ, ଶୂଳଦୁର୍ଗା ଓ ହରଚଣ୍ଡୀ ବେଶ କରାଯାଏ । ତେବେ ମା'ଙ୍କ ଆବିର୍ଭାବ ଯେପରି ତାଙ୍କ ରୀତିନୀତି ମଧ୍ୟ ବହୁ ରହସ୍ୟମୟ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ