ପୁରୀ: ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରାର ରହିଛି ସ୍ବତନ୍ତ୍ରତା । ମହାରାଣୀ ଗୁଣ୍ଡିଚାଙ୍କ ପ୍ରାର୍ଥନା କ୍ରମେ ରଥରେ ବିଜେ କରି ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ନିଜ ଜନ୍ମ ବେଦୀକୁ ଯାତ୍ରା କରନ୍ତି । ରଥ ଉପରେ ବିଜେ କରିବାରୁ ଗୁଣ୍ଡିଚା ଯାତ୍ରାର ନାମ ହୋଇଛି ରଥଯାତ୍ରା । ରଥ ଯାତ୍ରାରେ ସବୁଠାରୁ ଯାହା ଅଧିକ ଆକର୍ଷିତ କରେ ତାହା ହେଉଛି ଚତୁର୍ଦ୍ଧା ମୂର୍ତ୍ତି ବିଜେ କରୁଥିବା ତିନି ରଥ । ପ୍ରତି ବର୍ଷ ନୂତନ ଭାବେ ନିର୍ମିତ ହୋଇଥାଏ ଏହି ରଥ ସବୁ । ତେବେ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେ କରୁଥିବା ତିନି ରଥ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ । ସମସ୍ତ ରଥର ନାମ, ନିର୍ମାଣ ପ୍ରଣାଳୀ, ସାଜସଜ୍ଜା ହୋଇଥାଏ, ଦେବାଦେବୀ ଓ ସାରଥୀ ହୋଇଥାନ୍ତି ଭିନ୍ନ । ଦେବରାଜ ଇନ୍ଦ୍ରଙ୍କ ପ୍ରଦତ୍ତ ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ । ଏହାର ଅନ୍ୟନାମ ଚକ୍ର ଧ୍ବଜ ବା ଗରୁଡ ଧ୍ବଜ । ସେହିପରି ତାଳବନରେ ଦେବତା ମାନଙ୍କ ଦ୍ବାର ପ୍ରଦତ୍ତ ମହାପ୍ରଭୁ ବଳଭଦ୍ରଙ୍କ ରଥର ନାମ ତାଳଧ୍ବଜ । ଯାହାକୁ ହଳଧ୍ବଜ ବା ଲଙ୍ଗଳ ଧ୍ବଜ ବୋଲି ମଧ୍ୟ କୁହାଯାଏ । ସେହିପରି ଦେବତା ମାନଙ୍କ ଦ୍ବାରା ପ୍ରଦତ୍ତ ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପ ଦଳନ ବା ଦେବ ଦଳନ ।
ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ
ଶ୍ରୀ ବଳଭଦ୍ରଙ୍କ ରଥର ଉଚ୍ଚତା ବତିଶି ହାତ ଓ ଦଶ ଆଙ୍ଗୁଳି । 763 ଖଣ୍ଡ କାଠରେ ନିର୍ମିତ ହୁଏ ଏହି ରଥ । ରଥରେ ସବୁଜ ଓ ଲାଲ୍ ରଙ୍ଗର କନା ମଣ୍ଡାଣି କରାଯାଏ । ତାଳ ଧ୍ବଜ ରଥର ଚକ ସଂଖା 14 । ଏହି ରଥର ସାରଥୀ ହେଉଛନ୍ତି ମାତଳୀ ଏବଂ ରଥର ରକ୍ଷକ ଭାବେ ଭାସ୍କର ଓ ବାସୁଦେବ ବିରାଜମାନ । ଏହି ରଥରେ ଶଙ୍ଖ ସୁଚିତ ଅଙ୍ଗଦ ଓ ମେଘନାଦ ନାମରେ ଚାରୋଟି କୃଷ୍ଣ ବା କଳା ରଙ୍ଗର ଅଶ୍ବ ଯୋଚା ହୁଏ । ଏହି ରଥର ପାର୍ଶ୍ବଦେବତା ହେଲେ ପ୍ରଳମ୍ବାରୀ, ମହାଦେବ, ଗଣେଶ, ବାଇଶଭୂଜ, ନୃସିଂହ, ବଳରାମ, ନଟବର, ଅଙ୍ଗଦ, ବସୁଦେବ, ନାଟାମ୍ବର, ମଧୁକୈଟଭ, କାର୍ତ୍ତିକେଶ୍ବର ଓ ଷଡ଼ାନନ । ରଥର ଧ୍ବଜର ନାମ ହେଉଛି ‘ଉନ୍ନନି’ ଏବଂ ରଥର ଦେବତା ରୂପେ ବ୍ରହ୍ମା ଓ ମହେଶ୍ବର ବିରାଜମାନ ରହିଥାନ୍ତି । ରଥର ଓଲଟ ଶୁଆର ନାମ ଶ୍ରଦ୍ଧା ଓ ବିଶ୍ବାସ । ରଥର ଅଧିଶ୍ବରୀ ଦେବୀ ବନଦୁର୍ଗାଙ୍କୁ ସ୍ଥାପନ କରାଯାଇଥିବା ବେଳେ ରଥର ଶିଖର ଦେଶରେ ଅନନ୍ତ ନାଗ ବିରାଜମାନ କରିଛନ୍ତି । ଏହି ରଥରେ ବାସୁକି ନାମକ ଦଉଡ଼ିକୁ ବ୍ୟବହାର କରାଯାଏ ।
ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଶ୍ରୀଜଗନ୍ନାଥଙ୍କ ରଥର ଉଚ୍ଚତା 33 ହାତ ଓ ପାଞ୍ଚ ଆଙ୍ଗୁଳି ଅଟେ । 16 କଳାର ପ୍ରତୀକ ଭାବରେ ଏହି ରଥରେ ରହିଥାଏ 16ଟି ଚକ । ଅଗ୍ରଭାଗରେ ଚକ୍ର ଓ ଗରୁଡ଼ ରହୁଥିବାରୁ ଏହା ଚକ୍ରଧ୍ବଜ ବା ଗରୁଡ଼ଧ୍ବଜ ନାମରେ ପରିଚିତ । ଏହି ରଥର ରକ୍ଷକ ନୃସିଂହ ଓ ସାରଥୀ ମାତଳି । ଶଙ୍ଖ, ବଳାତକ, ଶ୍ବେତ ଓ ହରିଦାସ ନାମରେ ଚାରିଗୋଟି ଅଶ୍ବ ନନ୍ଦିଘୋଷ ରଥରେ ବନ୍ଧା ହୁଅନ୍ତି । ଏହି ରଥକୁ ହଳଦିଆ ଓ ଲାଲ୍ କନାରେ ମଣ୍ଡାଣି କରାଯାଏ । ରଥର ନେତ ନାମ ହେଉଛି ‘ତ୍ରୈଲୋକ୍ୟମୋହିନୀ । ଏହି ରଥର ପାଶ୍ବ ଦେବତା ହେଲେ ପଞ୍ଚମୁଖୀ ମହାବୀର, ମଧୁସୂଦନ, ଲକ୍ଷ୍ମଣ, ଚିନ୍ତାମଣି କୃଷ୍ଣ, ରାବଣ ଛତ୍ରଭଙ୍ଗ, ହରିହର, ପଣ୍ଠୁନୃସିଂହ ଓ ଗିରିଗୋବର୍ଦ୍ଧନ । ଏହି ରଥରେ ଶଙ୍ଖଚୂଡ଼ା ନାମକ ଚାରିଗୋଟି ଦଉଡ଼ି ଲାଗୁଥିବା ବେଳେ ଜୟବିଜୟ ଏହାର ଦ୍ବାରପାଳ ଦାୟିତ୍ବ ନିର୍ବାହ କରନ୍ତି । ରଥାଧିଶ୍ବରଭାବେ ଶ୍ରୀଜଗନ୍ନାଥ ଓ ମଦନମୋଦନ ବିରାଜମାନ କରିଥାନ୍ତି । ଏହି ରଥର ଚକ୍ରର ନାମ ହେଲା ବିଷ୍ଣୁସିଦ୍ଧ, ବିଦ୍ଭୁତ, ଅଣିମା, ପ୍ରଦଧା, ଧୂ, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁସ୍ବସ୍ତି, ଜାଗୃତି. ତୁରୀୟ, ଆମ ଏବଂ ନିର୍ବାଣ ।
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଚ୍ଚତା 31 ହାଜ ଓ ଏହା 593 ଖଣ୍ଡ କାଠରେ ନିର୍ମିତ । ଏହି ରଥରେ ଦ୍ବାଦଶ ଯୋଗ ବା ଦ୍ବାଦଶ ଦିବାକରଙ୍କ ପ୍ରତୀକଭାବେ 12ଟି ଚକ ରହିଥାଏ । କୃଷ୍ଣ ବସ୍ତ୍ର ଓ ନାଲି ବସ୍ତ୍ରାବୃତ । ଦେବୀ ସୁଭଦ୍ରାଙ୍କ ରଥର ରକ୍ଷକ ଜୟଦୁର୍ଗା ଓ ସାରଥୀ ଅର୍ଜୁନ ଅଟନ୍ତି । ରୋଚିକା, ମୋଚିକା, ଜିତା ଓ ଅପରାଜିତା ନାମରେ ଚାରିଟି ଅଶ୍ବ ଦର୍ପଦଳନ ରଥରେ ବନ୍ଧା ହୁଅନ୍ତି । ଏହି ରଥର ପାଶ୍ବଦେବୀ ହେଉଛନ୍ତି ବିମଳା, ଚାମୁଣ୍ଡା, ଭଦ୍ରକାଳୀ, ଉମା, ହରଚଣ୍ଡୀ, ରାମଚଣ୍ଡୀ, ମଙ୍ଗଳା, ବରାହୀ, କାତ୍ୟାୟିନୀ ଓ ଅଘୋରା । ଏହି ରଥର ରକ୍ଷୟତ୍ରୀ ରୂପେ ଉଗ୍ରଚଣ୍ଡୀ ବିଜେ ହୋଇଥାନ୍ତି । ରଥର ଅଧିଶ୍ବରୀ ଦେବୀରୂପେ ହଳଦୀ ମୁହିଁ ଦେବୀ ସୁଭଦ୍ରା ବିଦ୍ୟାମାନ ହୁଅନ୍ତି । ଏହି ରଥରେ ସ୍ବର୍ଣ୍ଣଚୂଡ଼ା ନାମରେ ଚାରିଗୋଟି ଦଉଡ଼ି ଲଗାହୁଏ । ରଥରେ ଶୋଭାପାଉଥିବା ଦୁଇଟି ଓଲଟ ଶୁଆଙ୍କ ନାମ ସୁପର୍ଣ୍ଣ ଓ ଦ୍ବାସୁପର୍ଣ୍ଣ ଅଟେ । ରଥର ଦେବୀ ରୂପେ ଶ୍ରୀ ଦେବୀ ଓ ଭୂ ଦେବୀ ବିଜେ ହୋଇଥାନ୍ତି ।
ପ୍ରତିବର୍ଷ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ ହେଉଥିବା ବେଳେ ତିନି ରଥରେ ଥିବା ସାରଥୀ, ଘୋଡ଼ା, ପାର୍ଶ୍ଵ ଦେବତା, ଓଲଟ ଶୁଆ ପ୍ରଭୁତିଙ୍କୁ କେବଳ ରଙ୍ଗ ଓ ମରାମତି ହୁଏ । ଦାରୁବ୍ରହ୍ମଙ୍କ ନବକଳେବର ହେଲେ ପୁରାତନ ବିଗ୍ରହଙ୍କ ସମେତ ଏମାନଙ୍କୁ ମଧ୍ୟ ପାତାଳି କରାଯାଏ । ତିନି ରଥରେ 12 ଟି ଲେଖାଏଁ 36 ଟି ସଖୀ, 11 ଟି ଲେଖାଏଁ 33 ଟି ପାର୍ଶ୍ବ ଦେବାଦେବୀ ଓ 6 ଟି ଓଲଟ ଶୁଆ ଲାଗି ଥାଏ।
ତେବେ ବଡ଼ କଥା ହେଉଛି ଏହି ତିନି ରଥ ନିର୍ମାଣରେ କୌଣସି ଫିତା ମାପ କି ଫୁଟ ଇଞ୍ଚ ବ୍ୟବହାର ହୁଏ ନାହିଁ। ବିଶ୍ଵକର୍ମା ମହାରଣା ସେବକମାନେ ଶହ ଶହ ବର୍ଷ ଧରି ହାତ ଆଙ୍ଗୁଳି ମାପ ଦ୍ବାରା ଏହି ରଥ ନିର୍ମାଣ କରନ୍ତି । ବିଶ୍ବକର୍ମା ମହାରଣା ସେବକ କୁହନ୍ତି ମହାପ୍ରଭୁ ନିଜେ ତାଙ୍କ କାର୍ଯ୍ୟ କରି ଆସୁଛନ୍ତି ସେମାନେ ନିମିତ୍ତ ମାତ୍ର ।
ଦେବୀ ଚର୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟ ଦେବୀ । ଶ୍ରୀନହର ସମ୍ମୁଖରେ ଏହି ଦେବୀ ବିରାଜିତ । ତେଣୁ ଏହି ସ୍ଥାନରେ ରଥ ଖଳା କରାଯାଇ ରଥ ନିର୍ମାତା ବିଶ୍ବକର୍ମା ଓ ସହଯୋଗୀ ମହାରଣା ମାନଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ ହୁଏ। ଦେବୀ ଚର୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପନ ହୋଇଥାଏ ବୋଲି ବିଶ୍ବାସ ରହିଛି।
ଯୁଗ ଯୁଗ ଧରି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଉ ମହାପ୍ରଭୁ ବିଦ୍ୟାମାନ ହେବା ପରେ ସେ ରଥବି ପାଲଟି ଯାଏ ଦେବତା । ତାକୁ ଛୁଇଁଦେଲେ ବି ଜନ୍ମ ଜନ୍ମାନ୍ତରର ପାତକ କ୍ଷୟ ହୁଏ ବୋଲି ରହିଛି ବିଶ୍ବାସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ