ପୁରୀ: ଭକ୍ତବତ୍ସଳ ଭାବଗ୍ରାହୀ ଯୁଗେ ଯୁଗେ ରତ୍ନବେଦୀ ଛାଡି ଧାଇଁ ଆସିଛି ଭକ୍ତ ନିକଟକୁ । ତ୍ରେତୟାରେ ଶବରୀର ଅଇଁଠା, ଦ୍ବାପରରେ ସୁଦାମାର ଖୁଦଭଜା ଆଉ ବିଦୂରର ଶାଗଭଜା ଖାଇ ଭକ୍ତଶ୍ରେଷ୍ଠ ବୋଲାଉଛନ୍ତି ଭାବଗ୍ରାହୀ... କଳିଯୁଗରେ ମଧ୍ୟ ଭକ୍ତର ଭକ୍ତିରେ ବିଭୋର ହୋଇ ଅଦୃଶ୍ୟରେ ରଚୁଛନ୍ତି କେତେ ଲୀଳା । ଭାବରେ ଅଟକାଇଛନ୍ତି ନନ୍ଦିଘୋଷ । ହାତ ବଢାଇ ନେଇଛନ୍ତି ନାରିକେଳ । ଆଉ ନନ୍ଦିଘୋଷରୁ ଯାଇ ବାଲିରଥରେ ହୋଇଛନ୍ତି ବିରାଜିତ ।
ଭକ୍ତ ସାଲବେଗ
ଭାବର ଠାକୁର ଭାବଗ୍ରାହୀଙ୍କ ଏକାଧିକ ଭକ୍ତଙ୍କ ମଧ୍ୟରୁ ଭକ୍ତ ସାଲବେଗ ଅନ୍ୟତମ । ଭକ୍ତ ସାଲବେଗ ମୁସଲମାନ ବା ଯବନ ଥିଲେ ମଧ୍ୟ ତାଙ୍କ ଚିତ୍ତ ସଦା ସର୍ବଦା ଜଗନ୍ନାଥଙ୍କ ଭକ୍ତିରେ ଲୀନ ରହୁଥିଲା । ଏକଦା ଏକ ଯୁଦ୍ଧରେ ଭକ୍ତ ସାଲବେଗ କ୍ଷତାକ୍ତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତେ ତାଙ୍କ କ୍ଷତ ଭଲ ହୋଇ ଯାଇଥିଲା। ମହାପ୍ରଭୁଙ୍କ ଭକ୍ତ ହୋଇଥିବା ସତ୍ତ୍ବେ ସାଲବେଗଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଥିଲା କଟକଣା । ତେଣୁ ମହାପ୍ରଭୁଙ୍କ ଦର୍ଶନର ଏକମାତ୍ର ପନ୍ଥା ଥିଲା ରଥଯାତ୍ରା । ତେଣୁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୁଦୂର ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ ସାଲବେଗ । କିନ୍ତୁ ଠିକ୍ ସମୟରେ ପୁରୀ ପହଁଞ୍ଚି ନପାରି ଅଧା ବାଟରେ ଭଗବାନଙ୍କୁ ଆବେଗଭରା କଣ୍ଠରେ ରଥ ରଖିବାକୁ ପ୍ରାର୍ଥନା କରିଥିଲେ। ତାଙ୍କ ପ୍ରାର୍ଥନାରେ ମହାପ୍ରଭୁ ଏତେ ପ୍ରୀତ ହୋଇ ସେ ଆସିବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅଟକି ରହିଥିଲା ନନ୍ଦିଘୋଷ ରଥ ।
ସେ ମହାପ୍ରଭୁଙ୍କୁ ନେଇ ଅନେକ ଭଜନ ଓ ଜଣାଣ ଲେଖିଛନ୍ତି । ସାଲବେଗଙ୍କ ବାପା ଥିଲେ ଲାଲବେଗ । ସେ ତତ୍କାଳୀନ ମୋଗଲ ରାଜାଙ୍କ ସୁବେଦାର ଥିଲେ। ସେ ପୁରୀର ଦାଣ୍ଡ ମୁକୁନ୍ଦ ପୁରରେ ଯାଉଥିବା ବେଳେ ଥରେ ଜଣେ ସ୍ନାନ କରୁଥିବା ବିଧବା ବ୍ରାହ୍ମଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ବିବାହ କରିଥିଲେ । ଲାଲବେଗଙ୍କର ଏକମାତ୍ର ପୁତ୍ର ଥିଲେ ସାଲବେଗ । ଏଣୁ ମା ଜଗନ୍ନାଥଙ୍କ ଭକ୍ତ ହୋଇଥିବା ହେତୁ ସାଲବେଗ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ବାସ କରୁଥିଲେ । ପ୍ରଭୁଙ୍କ ପରମ ଭକ୍ତ ସାଲବେଗଙ୍କ ମୃତ୍ୟୁ ପରେ ତତ୍କାଳୀନ ଗଜପତି ରାଜାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ ଦାଣ୍ଡର ବଳଗଣ୍ଡି ଛକରେ ତାଙ୍କର ସମାଧି ଦିଆଯାଇଥିଲା । ଯାହାକି ଏବେ ଭକ୍ତ ସାଲବେଗଙ୍କ ମନ୍ଦିର ଭାବେ ପରିଚିତ ।
ଦାସିଆ ବାଉରୀ
ଜଗନ୍ନାଥଙ୍କ ଆଉ ଜଣେ ଅନନ୍ୟ ଭକ୍ତ ହେଉଛନ୍ତି ପୁରୀ ପିପିଲି ଅଞ୍ଚଳ ବାଲିଗାଁର ବାସିନ୍ଦା ଦାସିଆ ବାଉରୀ । ଦାସିଆ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଥିଲେ । ଥରେ ଦାସିଆ ନିଜ ବାଡ଼ିରୁ ଆଣିଥିବା ନଡ଼ିଆ ଆଣି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ପଣ୍ଡା ମାନଙ୍କୁ ଦେଇଥିଲେ । କହିଥିଲେ ମହାପ୍ରଭୁଙ୍କୁ ଜଣାଇବା ବାଲିଗାଁ ଦାସିଆ ଏହି ନଡ଼ିଆ ପଠାଇଛି । ଯଦି ମହାପ୍ରଭୁ ହାତ ବଢ଼ାଇ ନଡ଼ିଆ ନିଜେ ନିଅନ୍ତି ତାହା ହେଲେ ମହାପ୍ରଭୁଙ୍କୁ ନଡ଼ିଆ ଅର୍ପଣ କରିବ । ନ ହେଲେ ଫେରାଇ ଆଣିବ। ସବୁଠୁ ଆଶ୍ଚର୍ଯ୍ୟର ଘଟଣା ଘଟିଲା ଯେତେବେଳେ ପଣ୍ଡା ଜଣକ ଆଖି ବୁଜି ନଡ଼ିଆ ବଢ଼େଇଲେ ତାହା ଉଭାନ ହୋଇଗଲା । ପରେ ଦାସିଆର ଭକ୍ତି ନେଇ ଧନ୍ୟ ଧନ୍ୟ କହିଥିଲେ ସମସ୍ତେ । ଦାସିଆ ନଡ଼ିଆ ନେବା ପ୍ରମାଣିତ କରିଛି ମହାପ୍ରଭୁଙ୍କ ଆଗରେ କୌଣସି ଉଚ୍ଚ ନୀଚ ଭେଦଭାବ ନାହିଁ । ମହାପ୍ରଭୁଙ୍କ ପାଇଁ ତାଙ୍କ ଭକ୍ତ ସବୁଠୁ ବଡ଼ ।
ବଳରାମ ଦାସ
ସେହିପରି ମହାପ୍ରଭୁଙ୍କ ଆଉ ଜଣେ ପରମ ଭକ୍ତ ହେଉଛନ୍ତି ପଞ୍ଚସଖା ଯୁଗର ବଳରାମ ଦାସ । ଭକ୍ତ ବଳରାମ ମହାପ୍ରଭୁଙ୍କର ଏତେ ଆପଣାର ଥିଲେ ଯେ ସେ ମହାପ୍ରଭୁଙ୍କ ସହ ମିଶି ପଣସ ବଗିଚାରେ ପଣସ ଖାଉଥିଲେ। ଥରେ ପୁରୀର ପଣ୍ଡା ମାନେ ରଥଯାତ୍ରା ସମୟରେରେ ବଳରାମ ଦାସଙ୍କୁ ଅପମାନ ଦେଇ ରଥରୁ ବିତାଡିତ କରିଥିଲେ । ପରେ ବଳରାମ ଦୁଃଖରେ ଚକ୍ରତୀର୍ଥ ସମୁଦ୍ର କୂଳ ଯାଇ ବାଲିରେ ରଥ କରି ମହାପ୍ରଭୁଙ୍କୁ ରଥରେ ବିରାଜମାନ କରିବାକୁ ପ୍ରାର୍ଥନା କରିଥିଲେ । ପରେ ସ୍ବୟଂ ମହାପ୍ରଭୁ ବାଲି ରଥରେ ବିଦ୍ୟମାନ କରିଥିଲେ । ସେପଟେ ରଥରୁ ମହାପ୍ରଭୁ ବାଲିରଥକୁ ଆସିଯିବାରୁ ରଥ ଆଉ ଗଡ଼ିନଥିଲା । ତେବେ ମହାରାଜାଙ୍କୁ ଏ ନେଇ ସ୍ବପ୍ନାଦେଶ ପରେ ବଳରାମ ଦାସଙ୍କୁ ସମ୍ମାନ ଦେଇ ରଥ ଉପରେ ବସାଇବା ପରେ ମହାପ୍ରଭୁଙ୍କ ରଥ ଗଡିଥିଲା । ଭକ୍ତ ବଳରାମ ଦାସ ଅନେକ ପୁସ୍ତକ ଲେଖିଥିବା ବେଳେ ଓଡ଼ିଆରେ ରାମାୟଣ, ଭାଗବତ ଓ ଲକ୍ଷ୍ମୀ ପୁରାଣ ସେଥି ମଧ୍ୟରୁ ଅନ୍ୟତମ।
ବନ୍ଧୁ ମହାନ୍ତି
ଭାବର ଠାକୁରଙ୍କର ଚର୍ଚ୍ଚିତ ଭକ୍ତ ହେଉଛନ୍ତି ବନ୍ଧୁ ମହାନ୍ତିଙ୍କୁ କିଏ ବା ନଜାଣେ । ଯାଜପୁରର ବାସିନ୍ଦା ହେଉଛନ୍ତି ବନ୍ଧୁ ମହାନ୍ତି । ତାଙ୍କ ପରିବାର ବହୁତ ଅଭାବ ଅନଟନରେ ଚଳୁଥିଲା। ସେ ମହାପ୍ରଭୁଙ୍କ ଜଣେ ପରମ ଭକ୍ତ ଥିଲେ। ଅଭାବ ଅନଟନ ଜଣାଇବା ପାଇଁ ପରିବାର ସହ ଆସି ପୁରୀରେ ପହଁଚିଥିଲେ ବନ୍ଧୁ। ହେଲେ ରାତି ହୋଇ ଯାଇଥିବା ହେତୁ ଶ୍ରୀମନ୍ଦିରକୁ ନଯାଇ ଭୋକ ଉପାସରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପେଜ ନଳା ଠାରେ ଶୋଇ ପଡ଼ିଥିଲେ। ରାତିରେ ପିଲା ମାନେ ଭୋକ ଉପାସରେ ଥିବାରୁ ମହାପ୍ରଭୁଙ୍କୁ ଜଣାଇ ଶୋଇ ପଡିଥିଲେ । ତେବେ ରାତିରେ ସ୍ବୟଂ ମହାପ୍ରଭୁ ବ୍ରାହ୍ମଣ ବେଶରେ ଆସି ବନ୍ଧୁ ମହାନ୍ତିଙ୍କୁ ‘ଯାଜପୁରୀଆ ବନ୍ଧୁ ଉଠ’ ବୋଲି କହି ସୁନା ଥାଳିରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ଦେଇଥିଲେ । ଏହାକୁ ଖାଇ ଶୋଇପଡ଼ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବ କହି ଫେରିଗଲେ ବ୍ରାହ୍ମଣ ରୂପି ଜଗନ୍ନାଥ । ପରେ ତାଙ୍କ ପରିବାର ଲୋକ ଏହାକୁ ଖାଇ ଶୋଇ ପଡ଼ିଥିଲେ। ହେଲେ ସୁନା ଥାଳିଟି ସେ ଫେରାଇବାକୁ ଶ୍ରୀମନ୍ଦିର ଦ୍ବାର ପାଖକୁ ଯାଇଥିଲେ ମଧ୍ୟ ଉକ୍ତ ବ୍ରାହ୍ମଣଙ୍କୁ ପାଇ ନଥିଲେ। ସୁନା ଥାଳି ରଖି ରାତିରେ ଶୋଇ ପଡ଼ିଥିଲେ ।
ସେପଟେ ସକାଳୁ ମହାପ୍ରଭୁଙ୍କ ସୁନା ଥାଳି ନ ମିଳିବା ପରେ ବହୁତ ଖୋଜା ପଡିଥିଲା । ତେବେ କେହି ଜଣେ ଦକ୍ଷିଣ ଦ୍ବାର ପେଜ ନଳା ପାଖରେ ଶୋଇଛି ଓ ତା ପାଖରେ ସୁବର୍ଣ୍ଣ ଥାଳିଟି ଅଛି ଖବର ଆସିଥିଲା । ପରେ ରାଜ କର୍ମଚାରୀ ମାନେ ବନ୍ଧୁ ମହାନ୍ତିଙ୍କୁ କାରାଗାରରେ ପୁରାଇ ଦେଇଥିଲେ । ହେଲେ ମହାପ୍ରଭୁ ରାଜାଙ୍କୁ ସ୍ବପ୍ନରେ କହିଥିଲେ ଯେ ‘ବନ୍ଧୁ ମହାନ୍ତି ମୋର ବନ୍ଧୁ । ସେ ଭୋକିଲା ଥିଲା । ମୁଁ ନେଇ ସୁନା ଥାଳିରେ ଖାଇବାକୁ ଦେଇଛି । ତାର କିଛି ଦୋଷ ନାହିଁ।’ ପରେ ରାଜା ବନ୍ଧୁ ମହାନ୍ତିଙ୍କୁ କ୍ଷମା ମାଗିବା ସହ ତାଙ୍କ ପରିବାରର ଥଇଥାନ ବ୍ୟବସ୍ଥା କରାଇଲେ ।
ଭକ୍ତ ସାଲବେଗ ଲେଖି ଯାଇଛନ୍ତି...
ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ
ଭକତ ପଛେ ତୁହି ଥାଉ ସେହି ଭାବେ
ଏକା ତୋ ଭକତ ଜୀବନ
ଏହିପରି ଯୁଗେ ଯୁଗେ ଭକ୍ତର ମର୍ଯ୍ୟାଦା ରଖି ଭକ୍ତଶ୍ରେଷ୍ଠ ବୋଲାଉଛନ୍ତି କାଳିଆ ଠାକୁର ।
ଇଟିଭି ଭାରତ, ପୁରୀ