ପୁରୀ: ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ। ମନ୍ଦିର ଭିରତରୁ ଯିବା ପାଇଁ ଆଉ ଦେବାକୁ ପଡ଼ିବନି କୌଣସି ପ୍ରବେଶ ଶୁଳ୍କ। ଭକ୍ତଙ୍କ ପାଇଁ ନିଶୁଳ୍କ ସେବା ଓ ଦର୍ଶନକ ବ୍ୟବସ୍ଥା କରିବାକୁ ପରିଚାଳନା କମିଟି ନିଷ୍ପତି ନେଇଥିଲା। ପରିଚାଳନା ବୈଠକରେ ଅନୁଯାୟୀ ଆଜି(ଶୁକ୍ରବାର) ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ପୂର୍ବରୁ ୨୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ନେଉଥିଲେ ନିଲାମଧାରୀ । ତେବେ ଚଳିତ ବର୍ଷ ମାହାଲଗୁଡ଼ିକର ନିଲାମ ବନ୍ଦ କରାଯାଇଛି। ଖାଲି ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ଆଦି ମାହାଲଗୁଡିକର ନିଲାମ ବନ୍ଦ କରାଯାଇଛି । ଏହି ପଦକ୍ଷେପ ଦ୍ବାରା ଭକ୍ତମାନେ ସୁବିଧା ନିଶୁଳ୍କ ଦର୍ଶନ କରି ପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।
୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି ନିଲାମ ବନ୍ଦ କରିବା ଯୋଗୁଁ ପ୍ରାୟ ୭ କୋଟି ଟଙ୍କାର ରାଜସ୍ବ ହାନି ହେବ। ତେବେ ଭକ୍ତଙ୍କ ସ୍ଵାର୍ଥକୁ ଗୁରୁତ୍ବ ଦେଇ ପଦକ୍ଷେପ ନେଇ ଥିବା ହେତୁ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଶ୍ରଦ୍ଧାଳୁ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ