ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାସ୍କ ପରିଧାନ ପାଇଁ ସଚେତନତା କାର୍ଯ୍ୟକ୍ରମ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ମାନେ କୋଭିଡ଼ ନିୟମ ମାନି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ଅନେକ ଭକ୍ତ ମୁହଁରେ ମାସ୍କ ପରିଧାନ କରୁନଥିବାରୁ ଏକ ସ୍ବଚ୍ଛାସେବୀ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ କରାଯାଉଛି ।
ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ସେବାପରିଷଦ ପକ୍ଷରୁ ଶ୍ରୀମନ୍ଦିର ପ୍ରବେଶ ପଥରେ ଭକ୍ତଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଉଛି । ଏହି ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ପ୍ରତିଦିନ ମାଗଣାମାସ୍କ ବଣ୍ଟାଯାଉଛି । ଆଜି ଶ୍ରୀମନ୍ଦିର ପ୍ରବେଶ ପଥରେ ପ୍ରାୟ ୬ ହଜାର ଭକ୍ତଙ୍କୁ ମାଗଣା ମାସ୍କବଣ୍ଟା ଯିବା ସହ ସରାକାରଙ୍କ କୋଭିଡ଼ ନିୟମ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ଅନେକ ଅମାନିଆ ଭକ୍ତ ମୁହଁରେ ମାସ୍କ ପରିଧାନ କରୁନଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମଧ୍ୟ ପାଉନାହାନ୍ତି । ତେଣୁ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଭକ୍ତଙ୍କୁ ମାଗଣା ମାସ୍କ ବଣ୍ଟା ଯାଉଥିବାରୁ ଭକ୍ତ ମାନେ ସଚେତନ ହେବା ସହ ମହାପ୍ରଭୁଙ୍କ ଦର୍ଶନ କରି ପୁଣ୍ୟ ଲାଭ କରିଥିବା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ