ପୁରୀ: ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ମିଳିବ ସ୍ବତନ୍ତ୍ର ପରିଚୟ । ଡଙ୍ଗା ଓ ଜାଲ ରଖିବା ପାଇଁ ସ୍ବତନ୍ତ୍ର ପ୍ଲାଟଫର୍ମ କରାଯିବ । ସେହିପରି ସାମୁଦ୍ରିକ ମାଛ ବିକ୍ରୟ କରିବା ପାଇଁ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ମାଛ ବଜାର ବ୍ୟବସ୍ଥା କରାଯିବ । ପୁରୀ ଜିଲ୍ଲାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ପୁରୀ ବେଳାଭୂମି ବାଲି ନୋଳିଆ ସାହିର ସାପକୋଟି ଠାରେ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ହେବା ପରେ ମାଛ ନଷ୍ଟ ନହେବା ପାଇଁ ବରଫରେ ମାଛ ଗୁଡ଼ିକ ସତେଜ ରଖିବାର ବ୍ୟବସ୍ଥା ହେବ । ସେହିପରି ଏଠାରେ ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା ସହ ମତ୍ସ୍ୟଜୀବୀଙ୍କ ଜୀବନ ଶୈଳୀ ବିଷୟରେ ପର୍ଯ୍ୟଟକମାନେ ମଧ୍ୟ ଅବଗତ ହୋଇପାରିବେ । ତେବେ ମତ୍ସ୍ୟଜୀବୀଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ମତ୍ସ୍ୟଜୀବୀ ସଂଘ ପ୍ରଶଂସା କରିଛନ୍ତି ।
ଏନେଇ ଜିଲ୍ଲପାଳ ସମର୍ଥ ବର୍ମା କହିଛନ୍ତି," ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପାଇଁ ଜାଗା ଚିହ୍ନଟ ହୋଇସାରିଛି । ମତ୍ସ୍ୟ ବିଭାଗ ଦ୍ବାରା ଏହି ପ୍ରକଳ୍ପ ଆରମ୍ଭ କରାଯିବ । ଖୁବଶୀଘ୍ର କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହେବ ।" ପୁରୀର ପେଣ୍ଠକଟା, ଚନ୍ଦ୍ରଭାଗା, ଅସ୍ତରଙ୍ଗ, ଅରଖକୁଦା ଠାରେ ମଧ୍ୟ ଏହି ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର ପ୍ରକଳ୍ପ କରାଯିବ । ଏଥିପାଇଁ ୯୫.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାଦ୍ବାରା ୮ ହଜାର ମତ୍ସ୍ୟଜୀବୀ ପରିବାର ଉପକୃତ ହେବେ । ଏକବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି । ତେବେ ପାରମ୍ପରିକ ପଦ୍ଧତିରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ସହାୟତା ପାଇଁ ଛୋଟ ମୋଟର ସଂଯୁକ୍ତ ବୋଟ ସବସିଡି ଆଧାରରେ ପ୍ରଦାନ କରାଯିବା ପାଇଁ ଯୋଜନା ରହିଛି ।
ଅଧିକ ପଢ଼ନ୍ତୁ: ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ
ସମସ୍ତ ଡଙ୍ଗା ଗୁଡିକ ବେଳାଭୂମିର ଗୋଟିଏ ସ୍ଥାନରେ ସୁବ୍ୟବସ୍ଥିତ ଢଙ୍ଗରେ ରଖାଯିବା ଦ୍ବାରା ବେଳାଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁରୀ ଜିଲ୍ଲାରେ ପାଞ୍ଚଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ହେବାକୁ ଥିବା ବେଳେ ପୁରୀ ବେଳାଭୂମି ବାଲି ନୋଳିଆ ସାହି ସାପକୋଟି ଅଞ୍ଚଳରେ ହେବାକୁ ଥିବା ଏହି ପ୍ରକଳ୍ପର ନକ୍ସା ପ୍ରସ୍ତୁତ ସରିଛି । ପ୍ରକଳ୍ପ ସ୍ଥାନକୁ ଯାଇ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ଅଧିକାରୀମାନେ ଅନୁଧ୍ୟାନ କରି ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ପୁରୀ