ପୁରୀ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ପୁରୀ ଜିଲ୍ଲାରେ କୋଭିଡ ପଜିଟିଭ ସଂଖା 4 ହଜାର ଟପିଛି। ଗତ 24 ଘଣ୍ଟା ଭିତରେ 157ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖା 4010ରେ ପହଁଚିଛି ।
ଅନ୍ୟପକ୍ଷେ ଜିଲ୍ଲାରେ କୋରୋନା କାରଣରୁ ଏବେ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୋଟ ସକ୍ରିୟ ମାମଲା 1006 ଥିବାବେଳେ 2988 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ପୁରୀରେ ମୋଟ 61,817ଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ହୋଇଛି।
ପୁରୀ ପୌରାଞ୍ଚଳରେ ଜିଲ୍ଲାର ସର୍ବାଧିକ 1403 ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ 386ଟି ସକ୍ରିୟ ମାମଲା ଥିବାବେଳେ 1014 ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଆରୋଗ୍ୟ ହାର ରହିଛି 74.51 ପ୍ରତିଶତ । ତେବେ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ ଓ ସଚେତନ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଭିଯାନ ଜାରି ରଖିଛି ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ମୋଟ ସକ୍ରିୟ ମାମଲାର 80 ପ୍ରତିଶତ ବ୍ୟକ୍ତି ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ବତନ୍ତ୍ର ହେଲ୍ଥ ଟିମ ଯାଇ କାର୍ଯ୍ୟ କରୁଛି । ସେହିପରି ଗ୍ରାମାଞ୍ଚଳରେ କ୍ୟାମ୍ପ କରାଯାଇ ଟେଷ୍ଟିଂ କରାଯାଉଛି। ତେବେ ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ଗହଳି ନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅପିଲ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ