ପୁରୀ: ଫିଲ୍ମ ପୋଷ୍ଟରରେ ମହାପ୍ରଭୁଙ୍କ ପ୍ରତି ଅପମାନକୁ ବିରୋଧ। ପୁରୀ ଏସପିଙ୍କ ନିକଟରେ ଫିଲ୍ମ ପ୍ରଡକ୍ସନ ହାଉସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । କଞ୍ଚା ଲଙ୍କା ନାମକ ପ୍ରଡକ୍ସନ ହାଉସ (Production House Kanccha Lanka) ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘ ତରଫରୁ ପୁରୀ ଆରକ୍ଷୀ ଅଧିକ୍ଷକ କନୱର ଵିଶାଲ ସିଂହଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
କଞ୍ଚା ଲଙ୍କା ନାମକ ଏକ ପ୍ରଡକ୍ସନ ହାଉସର ଏକ ୱେବ ସିରିଜିରେ 'Gangs of puri' ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶ୍ରୀମନ୍ଦିର ଉପରେ ଖଣ୍ଡା ଝୁଲୁଥିବାର ଦୃଶ୍ୟ ଓ ଏଥିରେ ରକ୍ତ ଲାଗିଥିବା ଦୃଶ୍ୟ ରହିଛି। ଯାହାକି ଏହି ଦୃଶ୍ୟ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । Gangs Of Puri ୱେବ ସିରିଜ ଏହି ପୋଷ୍ଟର ପୁରୀ ସହରର ଯୁବକ ତଥା ଛାତ୍ରଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ରେରିତ କରିବ ବୋଲି ଅଭିଯୋଗ ହୋଇଛି। ଏଣୁ ଏହି ପ୍ରଡକ୍ସନ ହାଉସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ଅଧିବକ୍ତା ସଙ୍ଘ।
ଏହି ନେଇ ଏକ ସ୍ମାରକପତ୍ର ପୁରୀ ଆରକ୍ଷୀ ଅଧିକ୍ଷକ କନୱର ଵିଶାଲ ସିଂହ ଦାବିପତ୍ର ଦିଆଯିବା ସହ ଯଥାଶୀଘ୍ର ଉକ୍ତ ୱେବ ସିରିଜି ମାଲିକ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ସଂଗଠନ। ଫିଲ୍ମଟି ଶସ୍ତା ଲୋକପ୍ରିୟତା ପାଇଁ ମହାପ୍ରଭୁଙ୍କ ପ୍ରତି ଅପମାନ ସହ୍ୟ କରାଯିବନି ବୋଲି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ କହିଛି। ଦାବି ପତ୍ର ପ୍ରଦାନ ସମୟରେ ସଂଘର ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ବଜିତ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ