ପୁରୀ : ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବାହିନୀ ପକ୍ଷରୁ ଅନୁଷ୍ଠିତ ହେଲା ରଥଟଣାର ମକଡ୍ରିଲ । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ପୋଲିସ ପକ୍ଷରୁ ରଥଟଣା, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ କର୍ମଚାରୀ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା ।
ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେଉଛି ରଥଯାତ୍ରା। ପ୍ରବଳ ଭକ୍ତଙ୍କ ସମାଗମକୁ ଆଶା କରି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରିଜର୍ଭ ପୋଲିସ ଲାଇନ ପଡିଆରେ ସମ୍ପୂର୍ଣ୍ଣ ରଥଟଣାର ମକଡ୍ରିଲ ଓ ଅଭ୍ୟାସ କରାଯାଇଛି । ଭିଡ ଭିତରେ ରଥ ଗୁଡିକ କିଭଳି ଟଣା ଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଥିଲା ।
ଏହି ଅଭ୍ୟାସରେ ମାଜିଷ୍ଟ୍ରେଟ, ପୋଲିସ, ଏସଓଜି ଯବାନମାନେ ସାମିଲ ହୋଇଥିଲେ। ତିନୋଟି ପୋଲିସ ଜିପକୁ ତିନି ରଥ ଭାବେ ପ୍ରତୀକାତ୍ମକ ଭାବେ ରଖାଯାଇ ରଥ ଟଣାଯାଇଥିଲା । ପ୍ରବଳ ଭକ୍ତଙ୍କ ସମାଗମକୁ ଆଶା କରି ଚଳିତ ବର୍ଷ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଚଳିତ ବର୍ଷ ଅନେକ ନୂଆ ପୋଲିସ ଅଧିକାରୀ ଓ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଥିବାରୁ ସେମାନଙ୍କୁ ଏହି ମକଡ୍ରିଲରେ ପ୍ରଶିକ୍ଷଣ ଦିଆଯାଇଛି।
ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଆଇଜି ଦେବଦତ୍ତ ସିଂ, ଡିଆଇଜି ଜୟନାରାୟଣ ପଙ୍କଜ, ଏସପି କନୱର ବିଶାଳ ସିଂଙ୍କ ସହ ମାଜିଷ୍ଟ୍ରେଟ ମାନେ ଏହି ମକଡ୍ରିଲରେ ଭାଗ ନେଇଥିଲେ।
ଇଟିଭି ଭାରତ, ପୁରୀ