ପୁରୀ: ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଭଉଁରୀ ତିଥିରେ ଚକାଡେରା ନୀତିକୁ ଦୃଷ୍ଟିରେ ରଖି ନାହାକା ଅଖ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ନାହାକା ଅଖ ଉଭୟପାର୍ଶ୍ଵ ଚଉପଟ ହୋଇ ଥିବାବେଳେ ସେଗୁଡ଼ିକର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।
ଏଥିସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥର ୫ଟି ଚକ ଶେଷ ହୋଇ ଷଷ୍ଠ ଚକର ପଇ-ଅଖ ସଂଯୋଗ ସ୍ଥାନରେ କିଳା ବାଡ଼ିଆ ହୋଇଛି । ପଇ କଳସା ହେବାକୁ ଥିବାବେଳେ ପନ୍ଦାରୀ ଗାଡ଼ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାଲଗୁଜ, ଜଳଯନ୍ତ୍ର ତୀଖଗୁଜ ଓ କୁଡୁକା ଶେଷ ହେବା ପରେ ଦଣ୍ଡା ଓ ଗୟଳକୁ ବାନ୍ଧି ରଖିବାରେ ବ୍ୟବହାର ହେଉଥିବା ଯୋଖା ତାଳଧ୍ଵଜ ରଥର ମୋଟ୍ ୧୬ ଯୋଖାରୁ ୭ଟି ନିର୍ମାଣ ଶେଷ ହୋଇଛି । ଆଉ ୯ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଦେବଦଳନ ରଥର ୪ ଟି ଚକ ଶେଷ ହୋଇ ଥିବାବେଳେ ଆଉ ଗୋଟିଏ ଚକ ଶେଷ ହୋଇଛି । ଏଥିସହ ଅନ୍ୟ ଏକ ଚକ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ହୋଇଛି । ତୁମ୍ବରେ ଅଖ ବିନ୍ଧ ହୋଇ ବଳା, ପନ୍ଦାରୀ ଲାଗି ପରେ ପନ୍ଦାରୀ ଗାଡ଼ ଜାରିରହିଛି । ଦେବଦଳନ ରଥର ୧୨ଟି ଯୋଖାରୁ ୭ ଟି ଶେଷ ହୋଇସାରି ଥିବାବେଳେ ଆଉ ୫ଟି ଯୋଖା ନିର୍ମାଣ ଚାଲିଛି । ନନ୍ଦିଘୋଷ ରଥର ୬ଟି ଚକ ଶେଷ ହୋଇ ଥିବାବେଳେ ଆଉ ଏକ ଚକ ପାଇଁ ତୁମ୍ବରେ ପଇ ପିନ୍ଧାଯାଇଛି । ଅର-ପଇ ସଂଯୋଗ ସ୍ଥାନରେ କିଳା ବାଡ଼ିଆ ପରେ କଳସା ହୋଇ ବିଲେଇ ବାଡ଼ିଆ ହେବ ।
ଏହାବ୍ୟତୀତ ନନ୍ଦିଘୋଷ ରଥର ସାଲଗୁଜ, ତାଖଗୁଜ, ଜଳଯନ୍ତ୍ର, କୁଡୁକା ଶେଷ ହୋଇଛି । ନନ୍ଦିଘୋଷ ରଥର ମୋଟ୍ ୧୬ଟି ଯୋଖାରୁ ୭ଟି ଯୋଖା ଶେଷ ହୋଇ ଆଉ ୯ଟି ଯୋଖାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଅନ୍ୟପକ୍ଷରେ ୩ ରଥର ୧୮ ଜଣ ରୂପକାର ସେବକ ସାଲଗୁଜରେ ସିଂହ ବରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ୩ ରଥର ୬ଟି ଲେଖାଏଁ ୧୮ଟି ଗୁଜରେ ରୂପ ଖୋଦେଇ ଚାଲିଛି । ତିନି ରଥର ୨ଟି ଲେଖାଏଁ ଗୁଜରେ ରୂପ ଖୋଦେଇ ଶେଷ ହୋଇଛି । ଦୁଇଟି ଲେଖାଏଁ ଗୁଜରେ ରୂପ ଖୋଦେଇ ପରେ ରୂପରେ ଅଳଙ୍କାର ଅଙ୍କାଯାଉଛି । ଆଉ ଦୁଇଟି ଲେଖାଏଁ ଗୁଜରେ ରୂପ ଖୋଦେଇ ଜାରି ରହିଛି । ଦୋଳବେଦି ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ତୁମ୍ବ ପାଇଁ ପନ୍ଦାରୀ, ତୁମ୍ବ ମାପ ପ୍ରକାରେ ବଳା ନିର୍ମାଣ ସହ ଅରକଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ